ଚିନ୍ତା ବଢ଼ାଇଲା କରୋନା; ୨୪ ଘଣ୍ଟାରେ ଦେଶରେ ୧୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଦୁଇ ମାସରେ ଆଜି ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୧୮,୭୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଗତ ୨୪ ଘଣ୍ଟାରେ ୧୦୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୧,୫୭,୭୫୬ରେ ପହଞ୍ଚିଛି।
ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନ ପଜିଟିଭ୍ ସଂଖ୍ୟା ୧,୧୨,୧୦,୭୯୯ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୮୪,୫୨୩ ଆକ୍ଟିଭ୍ କେସ୍ ଥିବାବେଳେ ୧,୦୮,୬୮,୫୨୦ ଜଣ ସୁସ୍ଥ ହୋଇଛନ୍ତି।
ଗତ ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରୁ ହିଁ ୧୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫେବୃଆରୀ ୨୮ ଓ ମାର୍ଚ୍ଚ ୫ ମଧ୍ୟରେ ମହାରାଷ୍ଟ୍ରରେ ୫୧,୬୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଞ୍ଜାବରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିନ ପଞ୍ଜାବରେ ୧,୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଗତ ସପ୍ତାହରେ ଦେଶରେ କରୋନା ଆକ୍ରାନ୍ତଙ୍କ ହାରାହାରି ସଂଖ୍ୟା ୧୬ ହଜାରରେ ଥିଲା। ଏହା ପୂର୍ବରୁ ଜାନୁଆରୀ ୬ରେ ୧୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।