ଭାରତରେ ପହଞ୍ଚିଲା ୫ ଲକ୍ଷ କରୋନା ରାପିଡ୍ ଟେଷ୍ଟ କିଟ୍

ନୂଆଦିଲ୍ଲୀ: ଦେଶରେ ପହଞ୍ଚିଛି ୫ ଲକ୍ଷ କରୋନା ରାପିଡ୍ ଟେଷ୍ଟ କିଟ୍। ଦୁଇଟି ଭିନ୍ନ ଭିନ୍ନ କମ୍ପାନୀ ପକ୍ଷରୁ ୫ ଲକ୍ଷଟି କିଟ୍ ଆସିଛି। ଆଜି ଏନେଇ ସୂଚନା ଦେଇଛନ୍ତି ଆଇସିଏମ୍ଆର୍ ମୁଖ୍ୟ ବୈଜ୍ଞାନିକ ରମଣ ଗଙ୍ଗାଖେଡ଼କର.

ଯେଉଁମାନଙ୍କ ପାଖରେ ଲକ୍ଷଣ ଦେଖାଯାଉଥିବ, ସେମାନଙ୍କ କ୍ଷେତ୍ରରେ ଏହି ଟେଷ୍ଟ ହେବ। ତାସହ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଟେଷ୍ଟ ବି ରାପିଡ୍ କିଟ୍‌ରେ କରାଯିବ।

ଏହାଛଡ଼ା ହଟ୍‌ସପଟ୍ ଜିଲ୍ଲାମାନଙ୍କରେ କାହାର ଲକ୍ଷଣ ଦେଖା ଗଲେ ମଧ୍ୟ ରାପିଡ୍ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ରୋଗ ନିଦାନ ହେବନି ବରଂ ଆକ୍ରାନ୍ତ ଶୀଘ୍ର ଚିହ୍ନଟ ହୋଇ ପାରିବେ। ଯାହା ଫଳରେ ସଫଳ ଚିକିତ୍ସା କରି ହେବ।

ଦେଶରେ ଗତ ୨୪ ଘଣ୍ଟାରେ ୩୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪୨୦କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୭୫୯ ଛୁଇଁଛି।

ଭଲ ଖବର କ୍ରମେ, ଏଯାଏଁ ୧୫୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୨୫ ଜିଲ୍ଲାରେ ଜଣେ ବି କରୋନା କେସ୍ ଚିହ୍ନଟ ହୋଇନଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ୍।

ଅନ୍ୟପଟେ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ହୋଇଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଏକ ଜାଗାରେ ୫ରୁ ଅଧିକ ଏକତ୍ର ହେବେନି ଏବଂ ସର୍ବସାଧାରଣ ସ୍ଥାନରେ ଛେପ ପକାଇବେନି ବୋଲି କୁହାଯାଇଛି। ସେହିଭଳି ମଦ, ତମାଖୁ ଓ ଗୁଟ୍‌ଖା ବିକ୍ରି ସଂପୂର୍ଣ୍ଣ ବାରଣ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like