ଖୁସି ଖବର, ଦୂର ହେବ ଟିକାକରଣ ସମସ୍ୟା ! ଡ. ରେଡ୍ଡୀ ଲ୍ୟାବ୍ ସହ ଶିଳ୍ପା ମେଡିକେୟାର ମଧ୍ୟ ପ୍ରସ୍ତୁତ କରିବ ସ୍ପୁଟନିକ୍-ଭି

ନୂଆଦିଲ୍ଲୀ: ଦେଶ ପାଇଁ ଆଉ ଏକ ଖୁସି ଖବର । ଏଣିକି ସ୍ପୁଟନିକ୍-ଭି ମଧ୍ୟ ଭାରତରେ ହେବ ଉତ୍ପାଦନ । ଏନେଇ ଡ. ରେଡ୍ଡୀ ଲ୍ୟାବ୍ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ଲକଡାଉନ୍ ଓ ସଟଡାଉନ୍ ଭଳି କଟକଣା ମଧ୍ୟ ଲାଗୁକରିଛନ୍ତି ।

ତେବେ ଏହା ମହାମାରୀରୁ ବର୍ତ୍ତିବା ପାଇଁ ଏକ ମାତ୍ର ରାସ୍ତା ହେଉଛି ଟିକାକରଣ । ହେଲେ ଭାରତରେ ତାହା ମଧ୍ୟ ହୋଇପାରୁ ନାହିଁ ।କାରଣ ଦେଶରେ ଏବେ ମାତ୍ର ଦୁଇ ପ୍ରକାର ଟିକା ଉପଲବ୍ଧ। ସରକାର କୋଭିସିଲ୍ଡ ଓ କୋଭାକ୍ସିନ ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭରଶୀଳ ।‍ ଆଉ ସବୁଠୁ ବଡ଼ ସମସ୍ୟା ହେଲା ଏହି ଦୁଇଟି କମ୍ପାନୀ ପକ୍ଷରୁ ପର୍ଯ୍ୟାପ୍ତ ଭ୍ୟାକ୍ସିନ ଉତ୍ପାଦନ ହୋଇ ପାରୁନାହିଁ । ଲୋକଙ୍କ ପାଖରେ ଭ୍ୟାକ୍ସିନ ପହଞ୍ଚି ପାରୁ ନାହିଁ ।

ତେବେ ଏହାରି ଭିତରେ ଏବେ ଦେଶବାସୀଙ୍କ ପାଇଁ ଖୁସି ଖବର ହେଲା, ଖୁବଶୀଘ୍ର ସ୍ପୁଟନିକ୍-ଭିର ଟିକାକରଣ ଆରମ୍ଭ ହେବାକୁ ଯାଉଛି । କୁହାଯାଉଛି ଋଷ ଦ୍ୱାରା ପ୍ରସ୍ତୁତ ଏହି ଟିକା କରୋନା ଭୂତାଣୁକୁ ରୋକିବାରେ ସବୁଠାରୁ ଅଧିକ ପ୍ରଭାବଶାଳୀ । ତେଣୁ ଭାରତୀୟଙ୍କ ପାଇଁ ଏହା ନିଶ୍ଚିତ ଭାବେ ଆଶ୍ୱସ୍ତିକର ବିଷୟ ଯେ, ଖୁବଶୀଘ୍ର ଭାରତରେ ମଧ୍ୟ ସ୍ପୁଟନିକ୍-ଭି ଟିକା ଉପଲବ୍ଧ ହେବ । ଏବେ ସୁଦ୍ଧା ସ୍ପୁଟନିକ୍-ଭିର ଦୁଇଟି ବ୍ୟାଚ୍ ଭାରତରେ ପହଞ୍ଚିସାରିଥିବା ବେଳେ ଖୁବଶୀଘ୍ର ସ୍ପୁଟନିକ୍-ଲାଇଟ୍ ମଧ୍ୟ ଭାରତ ଆସିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ‍ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ପୁଟନିକ୍-ଭି ଭାରତରେ ମଧ୍ୟ ପ୍ରସ୍ତୁତ ହେବ । ପୂର୍ବରୁ ସ୍ପୁଟନିକ-ଭି ଟିକାର ପ୍ରସ୍ତୁତି ଓ ବିତରଣ ଦାୟିତ୍ୱ କେବଳ ଡଃ ରେଡ୍ଡୀ ଲ୍ୟାବ୍ ନେଇଥିଲା । ହେଲେ ଏବେ ଶିଳ୍ପା ମେଡିକେୟାର ମଧ୍ୟ ସ୍ପୁଟନିକ-ଭି କରୋନା ଟିକା ଉତ୍ପାଦନ କରିବ ବୋଲି ସୂଚନା ମିଳିଛି । ଆସନ୍ତା ବର୍ଷକ ମଧ୍ୟରେ ୫ କୋଟି ଡୋଜ୍ ସ୍ପୁଟନିକ୍-ଭି ଟିକା ପ୍ରସ୍ତୁତ କରିବ ଶିଳ୍ପା ମେଡିକେୟାର ।

ଏହାସହ ଆଗକୁ ସ୍ପୁଟିନିକ-ଭିର ଏକକ ଡୋଜ୍ ଟିକା ସ୍ପୁଟନିକ୍ ଲାଇଟ୍ ମଧ୍ୟ ଭାରତ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ଶିଳ୍ପା ମେଡିକେୟାର ସ୍ପୁଟନିକ-ଲାଇଟ୍ ମଧ୍ୟ ଉତ୍ପାଦନ କରିବ ବୋଲି ସଚନା ରହିଛି । ଭାରତରେ ମୋଟ ୮୫ କୋଟି ସ୍ପୁଟନିକ-ଭି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ସ୍ପୁଟନିକ-ଭିର ସିଂହଭାଗ ଉତ୍ପାଦନ ଭାରତରେ ହେବ ବୋଲି ରୁଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସିଇଓ କିରିଲ ଦିମିତ୍ରିଭ ପୂର୍ବରୁ ସୂଚନା ଦେଇସାରିଛନ୍ତି । ରୁଷରୁ ଟିକା ଆମଦାନୀ ପରେ ବର୍ତ୍ତମାନ ସ୍ପୁଟନିକ୍-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ରହିଛି । ୫ ପ୍ରତିଶତ ଜିଏସଟି ଲାଗୁ ପରେ ଏହାର ଦର ପାଖାପାଖି ୯୯୫ ଟଙ୍କା ପଡ଼ିବ ବୋଲି କୁହାଯାଉଛି । ଟିକା ଦର ପ୍ରକାଶ ସହ ଗତ ୧୪ ତାରିଖରୁ ସ୍ପୁଟନିକ୍-ଭି ଟିକାକରଣ ମଧ୍ୟ ଆରମ୍ଭ କରିଛି ଡ. ରେଡ୍ଡୀ ଲାବ୍ । ହାଇଦ୍ରାବାଦରେ ସ୍ପୁଟନିକ-ଭିର ପ୍ରଥମ ଟିକା ମଧ୍ୟ ଦିଆଯାଇଛି ।

You might also like