ଉଦାରତା ଦେଖାଇଲା ଭାରତ; ନିଜ ବାୟୁସୀମାରେ ଉଡ଼ିବା ଲାଗି ଇମ୍ରାନଙ୍କ ବିମାନକୁ ଦେଲା ଅନୁମତି
ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ପୁଣି ଉଦାର ମନୋଭାବର ପରିଚୟ ଦେଲା ଭାରତ। ଭାରତୀୟ ବାୟୁସୀମାରେ ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର । ଯାହାଫଳରେ ଆଜି ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିମାନ ଉଡ଼ି ପାରିବ।
ସୂଚନାଥାଉ କି, ଆଜି ଇମ୍ରାନ ଖାଁଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଥିଲା। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରଥମ ଥର ଲାଗି ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି। ତେଣୁ ଭାରତୀୟ ବାୟୁସୀମା ଦେଇ ତାଙ୍କ ବିମାନ ଉଡ଼ିବା ଲାଗି ପାକିସ୍ତାନ ଅନୁମତି ମାଗିଥିଲା । ଏହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଯଦି ଭାରତ ଅନୁମତି ଦେଇ ନ ଥାନ୍ତା ତେବେ ଇମ୍ରାନଙ୍କ ଫ୍ଲାଇଟକୁ ଲମ୍ବା ଚକ୍କର ଦେଇ ଶ୍ରୀଲଙ୍କା ଯିବାକୁ ପଡ଼ିଥାନ୍ତା।
ମନେ ପକାଇ ଦେବାକୁ ଚାହିଁବୁ, ୨୦୧୯ରେ ଇମ୍ରାନ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ବାୟୁସୀମାରେ ଉଡ଼ାଣ ଲାଗି ଅନୁମତି ଦେଇ ନଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଏବଂ ସାଉଦି ଆରବ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ସେତେବେଳେ କାଶ୍ମୀରରେ ମାନବାଧିକାର ଉଲ୍ଲଘଂନ ବାହାନା ଦେଖାଇ ମୋଦିଙ୍କ ବିମାନକୁ ଅନୁମତି ଦେଇ ନ ଥିଲେ ପାକ୍ ସରକାର।
ସାଧାରଣ ଭାବେ VVIP ଏୟାରକ୍ରାପ୍ଟ୍ସକୁ ଅନ୍ୟ ଦେଶର ଏୟାରସ୍ପେଶରେ ଉଡିବା ଲାଗି ଅନୁମତି ଦିଆଯାଇଥାଏ। କିନ୍ତୁ ପାକିସ୍ତାନ ଭାରତକୁ ମନା କରି ଦେଇଥିଲା। ଭାରତ ଏହି ଘଟଣା ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନରେ ଉଠାଇଥିଲା। ଏଥର ଭାରତ ଚାହିଁଥିଲେ ପାକିସ୍ତାନର ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥାନ୍ତା। ହେଲେ ମୋଦି ସରକାର ତାଙ୍କର ଉଦାର ମନୋବୃତ୍ତିର ପରିଚୟ ଦେଇ ତାଙ୍କୁ ଭାରତ ସୀମାରେ ଉଡ଼ିବା ପାଇଁ ଅନୁମତି ଦେଇଛନ୍ତି।
ସୂଚନାଥାଉ କି, ଇମ୍ରାନ ଖାନଙ୍କ କଲମ୍ବୋ ଗସ୍ତ ସମୟରେ ସଂସଦରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହି ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଆଯାଇଛି। ପାକିସ୍ତାନ ଖବରକାଗଜ ‘ଡନ’ ଅନୁଯାୟୀ, ପାକିସ୍ତାନ ସରକାରଙ୍କ ଅନୁରୋଧ କ୍ରମେ ଖାନଙ୍କ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ବାତିଲ କରାଯାଇଛି |
ଅନୁମାନ କରାଯାଉଛି, ଇମ୍ରାନ ଖାନ୍ ସଂସଦ ଉଦ୍ବୋଧନରେ ମୁସ୍ଲିମ ସଂପ୍ରଦାୟଙ୍କ ଅଧିକାର ସମ୍ପର୍କରେ କହିଥାନ୍ତେ ଯେଉଁମାନେ ସଂଖ୍ୟାବହୁଳ ବୌଦ୍ଧ ସମ୍ପ୍ରଦାୟଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଛନ୍ତି ଏବଂ ସରକାରଙ୍କ ପକ୍ଷପାତପୂର୍ଣ୍ଣ କାର୍ଯ୍ୟକୁ ସାମ୍ନା କରୁଛନ୍ତି। ବିଶେଷକରି ଶ୍ରୀଲଙ୍କା ସରକାର କୋଭିଡ ସମୟରେ ସମସ୍ତ ମୃତକଙ୍କ ଦାହ ସଂସ୍କାର କରିବା ବାଧ୍ୟତାମୂଳକ କରିଥିଲେ ଯାହାକୁ ନେଇ ମୁସଲିମ ସଂପ୍ରଦାୟ ଅସନ୍ତୁଷ୍ଟ ଥିଲେ।