ଅକ୍ସିଜେନ୍ ସଙ୍କଟ ଦୂର ପାଇଁ ଜାରି ରହିଛି କସରତ : ନିଆଯାଉଛି ଗୋଟିକ ପରେ ଗୋଟିଏ ବଡ଼ ନିଷ୍ପତ୍ତି

  • ଅକ୍ସିଜେନକୁ କେବଳ ଚିକିତ୍ସାରେ ବ୍ୟବହାର କରିବାକୁ ନିର୍ଦ୍ଦେଶ
  • ଶିଳ୍ପ ପାଇଁ ଅକ୍ସିଜେନ ବ୍ୟବହାର ଉପରେ କଟକଣା
  • ବିଦେଶରୁ ଅକ୍ସିଜେନ୍ ଟ୍ୟାଙ୍କର୍ କିଣିବ ଭାରତ
  • ଦେଶର ସବୁ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ବସାଇବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ଅଭାବ ନାହିଁ । କେବଳ ଅଧିକ ସଂଖ୍ୟାରେ ଟ୍ୟାଙ୍କର୍ ନଥିବାରୁ କିଛି ରାଜ୍ୟରେ ସମସ୍ୟା ଉପୁଜିଥିଲା । ଏବେ ସେହି ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଥିବା କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ତେବେ ଆଗକୁ କାଳେ ଅକ୍ସିଜେନର ଅଭାବ ଦେଖାଯିବ, ସେଥିପାଇଁ ବେଳ ଥାଉ ଥାଉ କେବଳ ଚିକିତ୍ସା ବ୍ୟବତୀ ଅନ୍ୟ କାରଣ ପାଇଁ ତରଳ ଅକ୍ସିଜେନ୍ର ବ୍ୟବହାର ଉପରେ ମନ୍ତ୍ରାଳୟ ପକ୍ଷରୁ କଟକଣା ଲଗାଯାଇଛି ।

ଦେଶବ୍ୟାପୀ ଅକ୍ସିଜେନ୍ ସଙ୍କଟ ଦୂର ପାଇଁ ଜାରି ରହିଛି କସରତ । ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ଜାରି ରଖିଛନ୍ତି କେନ୍ଦ୍ର ସରକାର । ନିଆଯାଉଛି ଗୋଟିକ ପରେ ଗୋଟିଏ ବଡ଼ ନିଷ୍ପତ୍ତି । ଦେଶରେ ଗଚ୍ଛିତ ସମସ୍ତ ତରଳ ଅମ୍ଳଜାନ ବା ଲିକୁଇଡ୍ ଅକ୍ସିଜେନକୁ କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କୋଭିଡ ରୋଗୀଙ୍କ ପାଇଁ ଦେଶବ୍ୟାପୀ ମେଡିକାଲ ଅକ୍ସିଜେନର ବହୁଳ ଆବଶ୍ୟକତା ଦୃଷ୍ଟିରୁ, ଶିଳ୍ପ ପାଇଁ ଅକ୍ସିଜେନ ବ୍ୟବହାର ଉପରେ କଟକଣା ଲାଗିଛି । ଏବେ ମହଜୁଦ ଥିବା ଅକ୍ସିଜେନ ସମେତ ସମସ୍ତ ଲିକୁଇଡ୍ ଅକ୍ସିଜେନ୍ କେବଳ ମେଡିକାଲ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀଙ୍କ କାଯର୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ସେପଟେ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଷ୍ଟିଲ୍ ପ୍ଲାଣ୍ଟ୍ ଗୁଡ଼ିକ ପକ୍ଷରୁ ସପ୍ତାହେ ତଳେ ବିଭିନ୍ନ ରାଜ୍ୟକୁ ଦୈନିକ ୧୫ଶହରୁ ୧୭ଶହ ମେଟ୍ରିକ୍ ଟନ୍ ଲିକୁଇଡ୍ ମେଡିକାଲ୍ ଅକ୍ସିଜେନ୍ ପଠାଯାଉଥିବା ବେଳେ, ଗତକାଲି ସୁଦ୍ଧା ଏହି ପରିମାଣ ୩ ହଜାର ୧୩୧ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି । ସେହିପରି ଇସ୍ପାତ କାରଖାନାରେ ଜରୁରୀ ବ୍ୟବହାର ପାଇଁ ପୂର୍ବରୁ ସାଢ଼େ ୩ ଦିନର ତରଳ ଅମ୍ଳଜାନ ଗଚ୍ଛିତ ରହୁଥିବା ବେଳେ, ଏବେ ତାହା ମାତ୍ର ଅଧା ଦିନକୁ ହ୍ରାସ କରାଯାଇଛି । ସେପଟେ ଅକ୍ସିଜେନ୍ ଏକ୍ସପ୍ରେସ୍ ଜରିଆରେ ବିଭିନ୍ନ ରାଜ୍ୟକୁ ଏବେ ସୁଦ୍ଧା ୩୦୨ ମେଟ୍ରିକ୍ ଟନ୍ ଅମ୍ଳଜାନ ପଠାଯାଇଥିବା ଏବଂ ଆଉ ୧୫୪ ଟନ୍ ବାଟରେ ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗୃହ ମନ୍ତ୍ରାଳୟ ଅତିରିକ୍ତ ସଚିବ କହିଛନ୍ତି, ଭାରତ ବିଦେଶରୁ ଅକ୍ସିଜେନ୍ ଟ୍ୟାଙ୍କର୍ କିଣିବା ସହ ଭଡ଼ା ସୂତ୍ରରେ ଆଣୁଛି ।

ଏହା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ମେଡ଼ିକାଲ୍ ଅକ୍ସିଜେନ ପ୍ଲାଣ୍ଟ୍ ବସାଇବାକୁ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ଜିଲ୍ଲାସ୍ତରରେ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟାଳୟର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ଥାପନ ହେବ ମୋଟ ୫୫୧ଟି ପ୍ଲାଣ୍ଟ । ଏଥିପାଇଁ ସମସ୍ତ ଖର୍ଚ୍ଚ ପିଏମ୍ କେୟାର ପାଣ୍ଠିରୁ ଯୋଗାଇ ଦିଆଯିବ । ଯଥାଶୀଘ୍ର ଅକ୍ସିଜେନ୍ ୟୁନିଟ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ତଦାରଖ କରିବା ସହ ଏହାର ଉତ୍ପାଦନ ଉପରେ ନଜର ରଖିବ । ଏଥିସହ ଏମ୍ସ, ଏନସିଆଇ ଝାଜର,  ରାମ ମନୋହର ଲୋହିଆ ଆଦି ହସ୍ପିଟାଲରେ ଡିଆରଡିଓ-ଟାଟା ସନ୍ସ ଅକ୍ସିଜେନ୍ ଉତ୍ପାଦନ ପ୍ଲାଣ୍ଟ୍ ବସାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ପ୍ଲାଣ୍ଟରେ ମିନିଟକୁ ହଜାରେ ଲିଟର୍ ଅକ୍ସିଜେନ୍ ଉତ୍ପାଦନ ହୋଇପାରିବ । ସେପଟେ ମେଡିକାଲରେ ଅକ୍ସିଜେନର ନ୍ୟାୟୋଚିତ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।

ସେହିପରି ଆଉ ଏକ ବଡ଼ ନିଷ୍ପତ୍ତି କ୍ରମେ ଅକ୍ସିଜେନ ପରିବହନକାରୀ ଜାହାଜଠୁ ଆଦାୟ ହେବନି କୌଣସି ଦେୟ । ସବୁ ବୃହତ୍ ବନ୍ଦରଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅକ୍ସିଜେନ ସରଞ୍ଜାମ ପରିବହନକାରୀ ଜାହାଜଠୁ ବି କୌଣସି ଦେୟ ଆଦାୟ କରିବାକୁ ବି ମନା କରାଯାଇଛି ।

You might also like