କେବଳ ସତର୍କ ରୁହ, ବଡ଼ ବିପଦରୁ ଦୂରରେ ଭାରତ  

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାରତକୁ ଗ୍ରାସିବାରେ ଲାଗିଛି। ହେଲେ ଏନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ। କରୋନା ମୁକାବିଲା ପାଇଁ ଭାରତ ନିକଟରେ ପାଖାପାଖି ମାସେ ସମୟ ରହିଛି। କରୋନା ଭୟାବହତାକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି।

କରୋନା ସଂକ୍ରମଣରେ ଭାରତ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ଅର୍ଥାତ୍ ବିଦେଶରୁ ସଂକ୍ରମିତ ହୋଇ ଆସିଥିବା ଲୋକଙ୍କଠାରୁ ଏହା କେବଳ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡେଇଁଛି। ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ବହୁଳ ସଂକ୍ରମଣଠାରୁ ଭାରତ ଏବେ ନିରାପଦ ଦୂରତାରେ ରହିଛି।

ସେହିପରି ବହୁଳ ସଂକ୍ରମଣ ରୋକିବା ଲାଗି ଭାରତ ନିକଟରେ ଆଉ ୩୦ ଦିନ ସମୟ ବି ରହିଛି। ତେଣୁ ଏହି ଭୂତାଣୁ କିଭଳି ନବ୍ୟାପିବ ସେନେଇ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ ଭାରତରେ ରୋଗର ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି। କିଛି  ବିଦେଶୀ, ବିଦେଶରୁ ସଂକ୍ରମିତ ହୋଇ ଆସିଥିବା କିଛି ବ୍ୟକ୍ତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ଏଯାଏଁ ସଂଖ୍ୟା ୮୩ରେ ପହଞ୍ଚିଛି।

କରୋନା ପ୍ରଭାବିତ ଦେଶରୁ ଆସୁଥିବା ଲୋକଙ୍କୁ ପୃଥକ କରି ରଖିବା, ସଂକ୍ରମିତ  ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ନମୁନା ଯାଞ୍ଚ, କୌଣସି ସ୍ଥାନରେ ବହୁସଂଖ୍ୟାରେ ଲୋକ ଏକତ୍ରିତ ହେବା ଉପରେ କଟକଣା, ରୋଗ ସଂପର୍କରେ ସଚେତନା ଓ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିଲେ କରୋନା ସହ ଲଢେଇ ସହଜ ହେବ।

You might also like