୧ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଲା ଭାରତ

ନୂଆଦିଲ୍ଲୀ: ହଜାରେରୁ ଅଧିକ ଆକାଉଣ୍ଟ ବନ୍ଦ କରିବାକୁ ଭାରତ ସରକାର ଟ୍ୱିଟରକୁ ନୋଟିସ୍‌ କରିଛନ୍ତି। ଏହି ଟ୍ୱିଟର ଆକାଉଣ୍ଟ ଗୁଡ଼ିକ ଚାଷୀ ଆନ୍ଦୋଳନ ନେଇ ଭୁଲ୍‌ ତଥ୍ୟ ଦେବା ସହ ଆନ୍ଦୋଳନକୁ ଆହୁରି ଉସୁକାଉଛନ୍ତି। ଏହି ସବୁ ଆକାଉଣ୍ଟ ପାକିସ୍ତାନୀ ଓ ତଥାକଥିତ ଖଲିସ୍ତାନୀଙ୍କ ସମର୍ଥକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଭାରତ ସଙ୍ଗୀନ ଅଭିଯୋଗ କରିଛି। ତେଣୁ ତୁରନ୍ତ ଏହି ସବୁ ଆକାଉଣ୍ଟ ଗୁଡ଼ିକ ବ୍ଲକ୍‌ କରିବା ପାଇଁ କୁହାଯାଇଛି।

ଚଳିତ ମାସରେ, ଆଇଟି ମନ୍ତ୍ରଣାଳୟ ପକ୍ଷରୁ ୨୫୭ଟି ଆକାଉଣ୍ଟ ବ୍ଲକ୍‌ କରିବାକୁ ଟ୍ୱିଟରକୁ କୁହାଯାଇଥିଲା। ଯେଉଁମାନେ ଚାଷୀ ଆନ୍ଦୋଳନକୁ ନେଇ #ModiPlanningFarmerGenocide ହ୍ୟାଶ୍‌ଟ୍ୟାଗ୍‌ ବ୍ୟବହାର କରିଥିଲେ। ଏହାସହ ଆଉ କିଛି ହ୍ୟାଶଟ୍ୟାଗ ମଧ୍ୟ ବ୍ୟବହାର କରିଥିଲେ ଯହାକୁ କେନ୍ଦ୍ର ସରକାର ବିରୋଧ କରିଥିଲେ। ସେସବୁକୁ ଡିଲିଟ କରିବାକୁ କୁହାଯାଇଥିଲା। ଏସବୁ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସରକାର କହିଥିଲେ। ତେବେ ବାକ୍ ସ୍ୱାଧୀନତାକୁ କାରଣ ଦର୍ଶାଇ ଟ୍ୱିଟର ଏହି ନିର୍ଦ୍ଦେଶ ମାନିନଥିଲା। ଏହାପରେ ଭାରତୀୟ ଆଇନ ଉଲ୍ଲଂଘନ ଅଭିଯୋଗରେ ଟ୍ୱିଟରକୁ କେନ୍ଦ୍ର ପକ୍ଷରୁ ନୋଟିସ୍ ହୋଇଥିଲା।

ଚାଷୀ ଆନ୍ଦୋଳନକୁ ନେଇ କିଛି ଦିନ ତଳେ ଜଳବାୟୁ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗ ଓ ପପ୍‌ଷ୍ଟାର ରିହାନା ଟ୍ୱିଟ୍‌ କରିଥିଲେ। ବିଶେଷ କରି ଥନ୍‌ବର୍ଗଙ୍କ ଏକ ଟ୍ୱିଟ୍‌କୁ ନେଇ ବଡ଼ ବିବାଦ ଦେଖା ଦେଇଥିଲା। ପରେ ସେ ଏହି ଟ୍ୱିଟ୍‌କୁ ଡିଲିଟ୍ କରିଦେଇଥିଲେ। ଅଭିଯୋଗ ହୋଇଥିଲା, ବିଭିନ୍ନ ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ବର୍ଗ ମଧ୍ୟରେ ତିକ୍ତତା ସୃଷ୍ଟି କରିବାକୁ ଏପରି ଏହି ଟ୍ୱିଟ୍ କରାଯାଇଥିଲା।

ଗତକାଲି ଟ୍ୱିଟର ଇଣ୍ଡିଆର ପବ୍ଲିକ୍‌‌ ପଲିସି ମୁଖ୍ୟ ମହିମା କାଉଲ୍ ଭାରତ ଓ ଦକ୍ଷିଣ ଏସିଆ ପାଇଁ ଟ୍ୱିଟରର ପବ୍ଲିକ୍‌ ପଲିସି ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜାନୁଆରୀରୁ କମ୍ପାନୀକୁ ଇସ୍ତଫା ପତ୍ର ଦେଇଥିବା ଏବଂ ସୁରୁଖୁରରେ ଦାୟିତ୍ୱ ହସ୍ତାନ୍ତର କରିବାକୁ ମାର୍ଚ୍ଚ ପର୍ଯ୍ୟନ୍ତ ନିଜ ପଦରେ ରହିଥିବା ଟ୍ୱିଟର ପକ୍ଷରୁ କୁହାଯାଇଛି। ବ୍ୟକ୍ତିଗତ ସମସ୍ୟା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ୫ ବର୍ଷ ଧରି ସେ ଏହି ପଦରେ ଥିଲେ।

କିଛି ଦିନ ତଳେ ଟ୍ୱିଟରକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ହୋଇଥିବା ବେଳେ ଏବେ ମହିମାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

You might also like