ଲକ୍‌ଡାଉନ୍‌ ସରିଲେ ଘରକୁ ଆସିବେ ‍ବୋଲି କହିଥିଲେ, ହେଲେ…

ରିୱା: ଲଦାଖ୍‌ର ଗଲଓ୍ୱାନ୍‌ ଉପତ୍ୟାକାରେ ଭାରତ- ଚୀନ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଏହି ସହିଦମାନଙ୍କ ଭିତରେ ଥିଲେ ମଧ୍ୟପ୍ରଦେଶର ଦୀପକ କୁମାର ସିଂହ।

ଏଭଳି ସଂରର୍ଷର କିଛି ଦିନ ପୂର୍ବରୁ ଦୀପକ ଘର ଲୋକଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଘରକୁ ଫେରିବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ। କିନ୍ତୁ ବିଧି ଯେ ଏମିତି ବାମ ହେବ ସେକଥା କିଏ ଜାଣିଥିଲା।

ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଦୀପକ। ଏଇ ୭ ମାସ ହେବ ସେ ବିବାହ ବି କରିଥିଲେ। ୩୦ ବର୍ଷୀୟ ଦୀପକ କିଛି ଦିନ ପୂର୍ବରୁ ତାଙ୍କ ଜେଜେମା ଫୁଲକୁମାରୀ ସହ ଫୋନ୍‌ରେ ମନଭରି କଥା ହୋଇଥିଲେ।  ଆଉ କହିଥିଲେ, ଯେଯେମା, ଲକ୍‌ଡାଉନ୍‌ ଶେଷ ହେବା ମାତ୍ରେ ମୁଁ ଛୁଟିରେ ଘରକୁ ଯିବି। କିନ୍ତୁ ଦଇବ ଯେ ଜୀବନ ଉପସ୍ଥାନରୁ ତାଙ୍କୁ ଏମିତି ଛୁଟି ଦେଇ ଦେବ ଏକଥା କିଏ ଜାଣିଥିଲା।

ନାତୀ ସହ ଶେଷଥର ପାଇଁ ଫୋନ୍‌ରେ କଥା ହୋଇଥିବା ୮୫ ବର୍ଷିୟା ଯେଯେମା ଆଖିରୁ ଲୁହ ଶୁଖୁନି।ସେ କାନ୍ଦି କାନ୍ଦି କହିଛନ୍ତି, ମୁଁ ଦୀପକ ସହ କିଛି ଦିନ ପୂର୍ବରୁ କଥା ହୋଇଥିଲି। ସେ ମତେ କହିଲା ଲକ୍‌ଡାଉନ୍‌ ସରିବା ପରେ ମୁଁ ଘରକୁ ଆସିବି। କିନ୍ତୁ ମୁଁ ଜାଣିନଥିଲି ଲକ୍‌ଡାଉନ୍‌ ସରିବା ପୂର୍ବରୁ ତା’ର ଦେହାନ୍ତ ଖବର ପାଇବୁ ବୋଲି।

ସେ ଦୀପକଙ୍କର ଯେଯେମା ତ ନୁହେଁ ବରଂ ମାଆ। କାରଣ ମାଆ ମରିଯିବା ପରେ ଏହି ଯେଯେମା ହିଁ ଦୀପକଙ୍କୁ ମଣିଷ କରିଥିଲା। ତାର ଶିରାଳ ହାତରେ ଦୀପକଙ୍କ ଆଙ୍ଗୁଳି ଧରି ଚାଲିବା ଶିଖାଇଥିଲା। ଆଜି ତାରି ମୃତ୍ୟୁ ଖବର ଶୁଣି କିଏ ବା ଧୈର୍ଯ୍ୟ ଧରି ରହିପାରିବ।

ଏହି କଥାକୁ ମନେ ପକାଇ ଫୁଲକୁମାରୀ କହିଛନ୍ତି, ଦୀପକଙ୍କ ମା’ଙ୍କର ବହୁ ବର୍ଷ ପୂର୍ବେ ମୃତ୍ୟୁ ଘଟିଛି। ପରେ ମୁଁ ଦୀପକଙ୍କୁ ଲାଳନପାଳନ କରିଛି। ଫୁଲକୁମାରୀ କାନ୍ଦି କାନ୍ଦି କହୁଛନ୍ତି ଯେ ‘ସେ ବହୁତ ଭଲ ଥିଲା, ସେ ସମସ୍ତଙ୍କୁ ଭଲ ପାଉଥିଲା ଓ ଘରେ ସମସ୍ତଙ୍କୁ ସମ୍ମାନ ମଧ୍ୟ କରୁଥିଲା। ସମସ୍ତେ ତାକୁ ବହୁତ ଭଲ ପାଉଥିଲେ’।

ପରିବାର ସୂତ୍ରରୁ ପ୍ରକାଶ ଯେ ଦୀପକ ଗତ ବର୍ଷ ୩୦ ନଭେମ୍ୱରରେ ବିବାହ କରିଥିଲେ। ତାଙ୍କ ପତ୍ନୀ ରେଖା ସିଂହ ମଧ୍ୟପ୍ରଦେଶର ସିରମାଉରସ୍ଥିତ ନବୋଦୟ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଦୀପକ ୨୦୧୩ରେ ସେନାରେ ଯୋଗ ଦେଇଥିଲେ। ସେ ବିହାରର ରୋଜମେଣ୍ଟ ପୋଷ୍ଟରେ ଯବାନ ଥିଲେ। କିନ୍ତୁ ପୋଷ୍ଟିଂ ଗଲଓ୍ୱାନ୍‌ରେ ଥିଲା। ତାଙ୍କ ବାପା ଜଣେ କୃଷକ। ତାଙ୍କ ବଡ଼ ଭାଇ ପ୍ରକାଶ ମଧ୍ୟ ସେନାରେ କାର୍ଯ୍ୟ କରନ୍ତି। ସେ ବର୍ତ୍ତମାନ ରାଜସ୍ଥାନର ଜୈସଲମେରରେ କାର୍ଯ୍ୟ କରୁଛନ୍ତି।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ପୂର୍ବତନ ସିଏମ୍‌ କମଲନାଥ ସମେତ ରାଜ୍ୟର ଭେଟେରାନ ନେତାମାନେ ଦୀପକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

You might also like