ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୩ ହଜାର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଧାରା କମିବାର ନାଁ ଧରୁନି। ସଂକ୍ରମଣ ପୁଣି ଥରେ ତୀବ୍ରଗତିରେ ବଢିବାରେ ଲାଗିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ତାଲିକା ରେକର୍ଡ ଛୁଉଁଛି। ଗତକାଲି ୪୭ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩, ୪୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତକାଲି ୨୭୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ  କରୋନାରେ ଯାଇଛି ୨୫୧ ଜଣ ଜୀବନ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ ଛୁଇଁଛି। ଅନ୍ୟପକ୍ଷେ ଦେଶରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଜଣ ରୋଗୀ ରୋଗମୁକ୍ତ ହୋଇଛନ୍ତି। ଏବେ ଦେଶରେ ଆକ୍ଟିଭ କେସ ୩ ଲକ୍ଷ ୯୫ ହଜାର ୧୯୨ ରହିଛି। ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା ୧, ୬୦, ୬୯୨ ରହିଛି।

ମହାରାଷ୍ଟ୍ରରେ ବୁଧବାର ଗୋଟିଏ ଦିନରେ  ସର୍ବାଧିକ ୩୧, ୮୫୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୫, ୬୪, ୮୮୧କୁ ଛୁଇଁଛି। ସେହିପରି ମୃତ୍ୟୁ ସଂଖ୍ୟା ୫୩, ୬୮୪ରେ ପହଞ୍ଚିଛି। ଗତ ୮ମାସ ହେବ କରୋନା ପ୍ରଭାବ କମ୍‌ ଥିବାବେଳେ ଫେବ୍ରୁଆରୀ ମଧ୍ୟଭାଗରୁ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଗତ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫, ୧୩୭ ଥିବାବେଳେ ଏବେ ଏହି ସଂଖ୍ୟା ୨ ଗୁଣା ବୃଦ୍ଧି ପାଇଛି।

ତେବେ କରୋନା ପଞ୍ଝାରେ ପଡ଼ି ସବୁଠାରୁ ଅଧିକ ଛଟପଟ ହେଉଛି ବ୍ରାଜିଲ। ବ୍ରାଜିଲ କରୋନାର ହଟସ୍ପଟ ପାଲଟିଛି। ଏଠାରେ ଦୈନିକ ୭୫, ୫୭୦ ନୂଆ ମାମଲା ସାମ୍ନାକୁ ଆସୁଛି। ଏହା ପଛରେ ଆମେରିକାର ସ୍ଥାନ ରହିଛି। ଆମେରିକାରେ ଦୈନିକ ୫୪ ହଜାର ୧୪୧ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି।  ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ଦେଶରେ ସଂକ୍ରମଣ ହାର ଯେପରି ବଢି ଚାଲିଛି ଯଦି ଏପରି ଲାଗି ରୁହେ ତେବେ ଖୁବ୍‌ ଶୀଘ୍ର ଏହା ବ୍ରାଜିଲ, ଆମେରିକାକୁ ଟପିବାର ଆଶଙ୍କା ରହିଛି।

You might also like