ଚୀନ୍‌ରୁ ଫେରି ନ ପାରି କାନ୍ଦୁଛନ୍ତି ପାକିସ୍ତାନ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:କରୋନାକୁ ନେଇ ଭାରତରେ ଆତଙ୍କ ବଢୁଛି। କେରଳରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭଗ ସଜାଗ ହୋଇଉଠିଛି। ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି ।ଅନ୍ୟପକ୍ଷେ କରୋନା ଭୂତାଣୁ ଭୟାବହ ରୂପ ନେଉଥିବାରୁ ଚୀନରେ ରହୁଥିବା ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ଆଜି ଚୀନର ଉହାନ ସହରରୁ  ୩୨୩ ଜଣ ଭାରତୀୟ ଫେରି ଆସିଛନ୍ତି।

ଏୟାର ଇଣ୍ଡିଆ ବିମାନ ଯୋଗେ ୩୨୩ ଜଣ ବ୍ୟକ୍ତି ଚାଇନାରୁ ଭାରତ ଆସିଛନ୍ତି। ଆଜି ଚାଇନାର ଉହାନ ସହରରୁ ସକାଳ ୩ଟା ୧୦ ମିନିଟରେ ବିମାନଟି ଟେକ ଅଫ୍ କରିଥିଲା। ଏହାପରେ ଦିଲ୍ଲୀରେ ସକାଳ ୯ଟା ୪୫ ମିନିଟରେ ଏହି ବିମାନଟି ଅବତରଣ କରିଥିଲା। ଏହି ୩୨୩ ଜଣ ଲୋକଙ୍କ ମଧ୍ୟରେ ମାଲଦ୍ୱୀପର ମଧ୍ୟ ୭ ଜଣ ନାଗରିକ ରହିଛନ୍ତି। ଏ ନେଇ ମାଲଦ୍ୱୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହି ଟୁଇଟ୍ କରି ଦେଶର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଚୀନ୍ ଫେରନ୍ତା ଭାରତୀୟଙ୍କ ପାଇଁ ଦିଲ୍ଲୀ ITBPରେ ୬ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିରର ବ୍ୟବସ୍ଥା କରାଯାଇଛି।  ଫେରିଥିବା ଏହି ଭାରତୀୟଙ୍କୁ ଭୂତାଣୁ ସଂକ୍ରମିତ ହୋଇଛି କି ନାହିଁ, ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।  ଦିଲ୍ଲୀ ଫେରିଥିବା ଭାରତୀୟଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୨୧୧ ଜଣ ଛାତ୍ରଛାତ୍ରୀ ଅଛନ୍ତି।   ବିମାନବନ୍ଦରରେ ପରୀକ୍ଷଣ ବେଳେ ଭୂତାଣୁ ସଂକ୍ରମଣ ନେଇ ପଜିଟିଭ୍ ଆସିବାରୁ ୪ ଜଣ ଭାରତୀୟଙ୍କୁ ଅଟକ ରଖାଯାଇଛି। ପୂର୍ବଥର ମଧ୍ୟ ୬ ଭାରତୀୟଙ୍କୁ ବିମାନରୁ ଫେରାଇ ନିଆଯାଇଥିଲା ଏମାନଙ୍କ ବ୍ୟତୀତ ଆହୁରି ୧୦୦ ଜଣ ଉହାନରେ ଉଦ୍ଧାର ହେବା ଅପେକ୍ଷାରେ ରହିଛନ୍ତି ବୋଲି ଚୀନ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି କହିଛନ୍ତି । ପୂର୍ବରୁ ଉଦ୍ଧାର ହୋଇଥିବା ଭାରତୀୟଙ୍କୁ ଦିଲ୍ଲୀ ପାଖରେ ଥିବା ଆଇଟିବିପିର ସ୍ୱତନ୍ତ୍ର ଆଇସୋଲେସନ୍‌ ସେଣ୍ଟରରେ ରଖାଯାଇଛି।

କରୋନା ଚିକିତ୍ସା ପାଇଁ ଏସ୍‌ସିବିରେ ଅତିରିକ୍ତ ଅଧୀକ୍ଷକ ଡାକ୍ତର ଏସ୍. ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ୯ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି।  ବର୍ତ୍ତମାନ ସୁଦ୍ଧା ୧୮ଟି ଦେଶକୁ ବ୍ୟାପିଲାଣି ଏହି ଭୂତାଣୁ।  ଚୀନରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୦ ଟପିଛି।  ୧୪ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି।

ଅନ୍ୟପକ୍ଷେ ଚୀନର ଉହାନରୁ ଭାରତୀୟଙ୍କୁ ଉଦ୍ଧାର କରାଯିବା ପରେ ସେଠାରେ ଥିବା ପାକିସ୍ତାନୀ ଛାତ୍ରଛାତ୍ରୀ କାନ୍ଦିବା ଆରମ୍ଭ କରିଛନ୍ତି। ତାଙ୍କୁ ତାଙ୍କ ସରକାର ଉଦ୍ଧାର ନ କରି ମରଣ ମୁହଁରେ ଛାଡ଼ିଦେଉଛି ବୋଲି ପାକିସ୍ତାନୀ ଛାତ୍ରଛାତ୍ରୀ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ ପରେ ଟ୍ୱିଟ୍ କରି ଉଦ୍ଧାର କରିବା ଲାଗି ପାକିସ୍ତାନୀ ଛାତ୍ରଛାତ୍ରୀ ଆକୁଳ ନିବେଦନ କରିଛନ୍ତି । ପାକିସ୍ତାନ ସରକାର କୌଣସି ପଦକ୍ଷେପ ନେବା ବଦଳରେ ଉଦ୍ଧାର ନ କରିବାକୁ ସ୍ପଷ୍ଟ ମନା କରିଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଏପରିକି ଭାରତ ସରକାର କିପରି ତାଙ୍କ ଲୋକଙ୍କୁ ଉଦ୍ଧାର କରୁଛନ୍ତି, ସେସବୁର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏପରିକି ବାଂଲାଦେଶ ମଧ୍ୟ ନିଜ ଲୋକଙ୍କୁ ଉଦ୍ଧାର କରୁଥିବାବେଳେ ଇମ୍ରାନ ଖାଁଙ୍କ ସରକାର କୌଣସି ପଦକ୍ଷେପ ନେଉନଥିବା କହିଛନ୍ତ।

 

 

You might also like