ଦେଶରେ ଏକ କୋଟି ଟପିଲା କରୋନା ସଂକ୍ରମଣ କେସ୍

ନୂଆଦିଲ୍ଲୀ: ଗତ ମାସେ ହେବ ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ମୋଟ କରୋନା ସଂକ୍ରମଣ କେସ୍ ଏକ କୋଟି ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ, ଶନିବାର ସୁଧା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୦୪,୫୯୯ ହୋଇଛି। ସେହିପରି ସୁସ୍ଥ ସଂଖ୍ୟାରେ ବୃଦ୍ଧି ପାଇ ୯୦.୫୦ ଲକ୍ଷ ହୋଇଛି।

ସାରା ବିଶ୍ୱରେ କୋଭିଡ୍‌ ତଥ୍ୟ ରଖୁଥିବା ଜନ ହପକିନ୍ସ ୟୁନିଭର୍ସିଟି(ଜେଏଚ୍‌ୟୁ)ର ତଥ୍ୟ ଅନୁସାରେ, କରୋନା ସୁସ୍ଥ ମାମଲାରେ ଭାରତରେ ସାରା ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି।  ତା ପଛକୁ ରହିଛି ବ୍ରାଜିଲ। ଭୟଙ୍କରଭାବେ କରୋନା ପ୍ରଭାବିତ ରାଷ୍ଟ୍ରମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମେ ଆମେରିକା ଓ ତୃତୀୟରେ ବ୍ରାଜିଲ୍ ରହିଥିବା ଜେଏଚ୍‌ୟୁ କହିଛି‌।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ, ୨୪ ଘଣ୍ଟାରେ ଦେଶରେ ୨୫,୧୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୩୪୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୫,୧୩୬ ହୋଇଛି। ଦେଶରେ COVID-19 ମୃତ୍ୟୁ ହାର ୧.୪୫ ପ୍ରତିଶତକୁ ହ୍ରାସ ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

କେନ୍ଦ୍ରଶାସିତ ଅଞ୍ଚଳ ସମେତ ୩୩ଟି ରାଜ୍ୟରେ କରୋନା ସକ୍ରିୟଙ୍କ ସଂଖ୍ୟା କମିବାରେ ଲାଗୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦ ହଜାରରୁ କମ୍ ଆକ୍ଟିଭ କେସ୍ ଥିବା ସୂଚନା ଦେଇଛି ମନ୍ତ୍ରାଳୟ। ଦେଶର ମୋଟ କୋଭିଡ୍‌-୧୯ ଆକ୍ଟିଭ କେସ୍ ମଧ୍ୟରୁ ୨ଟି ରାଜ୍ୟରେ ସର୍ବାଧତ୍କ ସଂକ୍ରମିତ ଥିବା ଜଣାପଡ଼ିଛି। କେବଳ କେରଳ ଓ ମହାରାଷ୍ଟ୍ରରେ ୪୦% ଆକ୍ଟିଭ କେସ୍ ଥିବା ଟୁଇଟ୍ କରି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ଅନ୍ୟପଟେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ୯୧ ହଜାର ୭୬୬କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୬୫ ଲକ୍ଷ ୯୦ ହଜାର ୪୧୨ ହୋଇଛି। ସେହିପରି ସୁସ୍ଥ ହୋଇଛନ୍ତି ୫ କୋଟି ୩୭ ଲକ୍ଷ ୩୧ ହଜାର ୪୨୦ ଜଣ। ବିଶ୍ୱର ମୋଟ ୨୧୮ ଦେଶକୁ ଏହି କରୋନା ମହାମାରୀ ବ୍ୟାପିଛି।

You might also like