ଦେଶରେ କାୟା ବିସ୍ତାର କରୁଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଆଜି ସକାଳ ସୁଦ୍ଧା ଦେଶରେ ୭ ହଜାର ୩୬୭ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୭୧୬ଜଣ ସୁସ୍ଥ ହୋଇଛନ୍ତି। ତେବେ ୨୭୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୯ ଜଣ ଆକ୍ରାନ୍ତ ହୋଇଛନ୍ତି।

ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ୧୭୬୧ ଜଣ ସଂକ୍ରମିତ ଥିବାବେଳେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ୨୦୮ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ସେହିପରି ଦିଲ୍ଲୀରେ ୧୦୬୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୯ ଜଣ ପ୍ରାଣ ହରାଇଛନ୍ତି। କରୋନାରେ ତାମିଲନାଡୁରେ ୯୬୯ ଜଣ ଆକ୍ରାନ୍ତ ଥିବାବେଳେ ୧୦ ଜଣ ପ୍ରାଣ ହରାଇଛନ୍ତି।

ରାଜସ୍ଥାନରେ ସକାଳ ସୁଦ୍ଧା ୭୦୦ ଆକ୍ରାନ୍ତ ଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ସ୍ଥିତିର ମୁକାବିଲା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କହିଛନ୍ତି, ଯଦି ପରିସଂଖ୍ୟାନ ହିସାବକୁ ନିଆଯାଏ ତେବେ ଭାରତରେ ଲକ୍‌ଡାଉନ ଲାଗୁ ହୋଇନଥିଲେ ୧୫ ଏପ୍ରିଲ ସୁଦ୍ଧା ୮ଲକ୍ଷ ୨୫ହଜାର ଲୋକ ଆକ୍ରାନ୍ତ ହୋଇଥାନ୍ତେ। ଲକ୍‌ଡାଉନ୍ ପୂର୍ବରୁ କରୋନା ବ୍ୟାପିବାର ହାର ୨୮ ଦଶମିକ ୯ ପ୍ରତିଶତ ଥିଲା। ସତର୍କତାମୂଳକ ପଦକ୍ଷେପ ଓ କଣ୍ଟେନ୍ମେଣ୍ଟ ଭଳି ପଦକ୍ଷେପ ଯୋଗୁଁ କରୋନା ବ୍ୟାପିବାକୁ ରୋକାଯାଇ ପାରିଛି।

ଦେଶରେ ଏବେ ପରିସ୍ଥିତି ବିଗିଡ଼ି ନାହିଁ। କୋଭିଡ୍ ଚିକିତ୍ସା ପାଇଁ ଦେଶରେ ୫୮୬ଟି ହସ୍ପିଟାଲ କାର୍ଯ୍ୟ କରୁଛି। ଏବଂ ଏକ ଲକ୍ଷ ଆଇସୋଲେସନ୍ ବେଡ୍ ରହିଥିବା ସୂଚନା ଦେଇଛନ୍ତି ଲବ୍ ଅଗ୍ରଓ୍ୱାଲ।

You might also like