ଲଦାଖ ଅଂଚଳରେ ପଛକୁ ହଟିଲା ଚୀନ ସେନା
ନୂଆଦିଲ୍ଲୀ: ଶେଷରେ ଚୀନ୍ର ଗଉଁ ଭାଙ୍ଗିଛି। ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖ ଅଂଚଳରେ ପଛକୁ ହଟିଛି ଚିନ ସେନା । ଭାରତ ମଧ୍ୟ ତାର ସେନା ହଟାଇ ନେଇଛି। ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ (LAC)ର ପାଟ୍ରୋଲିଂ ପଏଣ୍ଟ ୧୫, ୧୪ ଏବଂ ୧୭Aରେ ଦୁଇ ଦେଶର ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ଶେଷ ହୋଇଛି।
ପାଟ୍ରୋଲିଂ ପଏଣ୍ଟ ୧୫-ହଟସ୍ପ୍ରିଙ୍ଗ୍, ପାଟ୍ରୋଲିଂ ପଏଣ୍ଟ ୧୪-ଗଲଓ୍ୱାନ ଉପତ୍ୟକା ଏବଂ ପାଟ୍ରୋଲିଂ ପଏଣ୍ଟ ୧୭-ଗୋଗ୍ରା ଅଂଚଳରୁ ସେନ୍ୟ ପଛକୁ ହଟିଛନ୍ତି। ସୀମାରେ ଶାନ୍ତି ବଜାୟ ରଖିବାକୁ ଆସନ୍ତା ସପ୍ତାହରେ ପୁଣିଥର କମାଣ୍ଡରସ୍ତରୀୟ ଆଲୋଚନା ହେବା ସମ୍ଭାବନା ରହିଛି।
ଏଥିରେ ପୂର୍ବ ଲଦାଖର ପାଂଗଙ୍ଗ ଅଂଚଳରେ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇପାରେ। ଜୁନ ୧୫ରେ ଗଲଓ୍ୱାନ ଉପତ୍ୟକାରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତୀୟ ସେନାର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନ ସେନାର ପ୍ରାୟ ୪୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା।
ସୀମାରେ ସନ୍ୟା ପ୍ରତ୍ୟାହାର ନେଇ ପୂର୍ବରୁ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ୍ ଚୀନ୍ର ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ମାମଲା ଟିକେ ଥଣ୍ଡା ପଡ଼ିଥିଲା। ଦୁଇ ଦେଶ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଧୀରେଧୀରେ ଆରମ୍ଭ ହୋଇଥିଲା। ତେବେ ପାଙ୍ଗଙ୍ଗ ହ୍ରଦ କୂଳରେ ଥିବା ଫିଙ୍ଗର ଏରିଆରେ ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇପାରି ନାହାଁନ୍ତି। ସେଠାରେ ଏବେବି ଉଭୟ ଦେଶର ସେନା ଛାଉଣି ରହିଛି।