ସୀମାରେ ଭାରତର ଭିତ୍ତିଭୂମିକୁ ଡରୁଛି କି ଚୀନ୍‌ ?

ନୂଆଦିଲ୍ଲୀ: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ପୂର୍ବ ଲଦାଖ ସୀମା ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି।

ଗତ ୬ ତାରିଖରେ କମାଣ୍ଡର ସ୍ତରରେ ବୈଠକ ହୋଇଥିଲା। ଏଥିରେ ଉତ୍ତେଜନା ହ୍ରାସ ନେଇ ଏକ ପ୍ରକାର ସହମତି ହୋଇଥିଲା। ଶୀର୍ଷ ସ୍ତରରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି କମାଣ୍ଡର ସ୍ତରରେ ମଧ୍ୟ ଆଲୋଚନା ଜାରି ରହିଥିଲା। ଆମେ ଆଶା ରଖିଥିଲୁ, ସବୁ ସହଜ ହୋଇଯିବ। ହେଲେ ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ପ୍ରକୃତ ନିୟନ୍ତ୍ରଣ ରେଖା-ଏଲ୍ଏସିକୁ ସମ୍ମାନ କରାଯିବ ବୋଲି ଯେଉଁ ସହମତି ହୋଇଥିଲା ସେଥିରୁ ଚୀନ୍ ପକ୍ଷ ହଟି ଯାଇଥିଲା। ଯଦି ଶୀର୍ଷସ୍ତରରେ ହୋଇଥିବା ନିଷ୍ପତ୍ତିକୁ ଚୀନ୍ ପକ୍ଷ ସମ୍ମାନ ଦେଇଥାନ୍ତା, ତେବେ ଏଭଳି ସ୍ଥିତି ଉପୁଜି ନ ଥାନ୍ତା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଏହା କହିଛି।

ଭାରତ ସବୁବେଳେ ସୀମାରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ସହ ଆଲୋଚନା ଜରିଆରେ ମତଭେଦର ସମାଧାନ କରିବା ଉପରେ ଗୁରୁତ୍ୱ ଦେଇ ଆସୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗଲ୍‌ଓ୍ୱାନ୍‌ ଉପତ୍ୟକାରେ କ‘ଣ ଘଟିଥିଲା…
ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ସନ୍ଧ୍ୟା ଓ ରାତିରେ ଚୀନ୍ ସେନା ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା-LACର ଯଥା ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଏହାକୁ ଭାରତୀୟ ସେନା ତୀବ୍ର ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ପରେ ଏହା ଉଗ୍ରରୂପ ନେବା ସହ ଦୁଇ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଗଲ୍‌ଓ୍ୱାନ୍‌ ଉପତ୍ୟକାର ୧୪ ନମ୍ବର ପାଟ୍ରୋଲ୍‌ ପଏଣ୍ଟରେ ଏହି ଗଣ୍ଡଗୋଳ ଘଟିଥିଲା। ବୁଝାମଣା ପରେ ଚୀନ ସେନା ଉପତ୍ୟକାରୁ ହଟିଥିଲେ। ହେଲେ ଚୀନ ସେନା ପକ୍ଷରୁ ପ୍ରଥମେ ଭାରତର କମାଣ୍ଡିଙ୍ଗ ଅଫିସରଙ୍କୁ ଲୁହାରଡ଼ ଓ ପଥରରେ ଆକ୍ରମଣ କରାଯାଇଥିଲା। ଯାହାର ପାଲଟା ଜବାବ ଦେଇଥିଲେ ଭାରତୀୟ ଯବାନ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା।

ଅନ୍ୟପକ୍ଷରେ, ସୀମାରେ ଉତ୍ତେଜନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭଭନରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଥିଲେ।

ସୂଚନାଥାଉ କି, ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ତେବେ ଚୀନର ପ୍ରାୟ ୪୩ ଜଣ ଯବାନଙ୍କର ମୃତ୍ୟୁ ହୋଇଛି।

You might also like