ଲଦାଖ ଉପରେ ଚୀନ ସେନାର ତୀକ୍ଷ୍‌ଣ ନଜର: ଲୁଚି ରହିଛି ଧନର ଭଣ୍ଡାର !  

ପେଇଚିଂ: ଭାରତ ଏବଂ ଚୀନ ସୀମାନ୍ତ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ହଜାର ହଜାର ଚୀନ ସେନା ଗଲବାନ ରିଜନର ୩ଟି ସ୍ଥାନରେ ଭାରତ ସୀମା ଭିତରକୁ ପଶି ଆସିଛନ୍ତି। ପେଙ୍ଗୋଙ୍ଗ ସୋ ଲେକ ନିକଟ ଫିଙ୍ଗର ଏରିଆରେ ଚୀନ ସେନା ବଙ୍କର ତିଆରି କରୁଛନ୍ତି। ତେବେ କାହିଁକି ଏତେ ସଂଖ୍ୟକ ଚୀନ ସେନା ଏଠାରେ ଠୁଳ ହୋଇଛନ୍ତି ? କିଛି ସାମରିକ ଉଦ୍ଦେଶ୍ୟ ରହିଛି କି ? ଏମିତି ଅନେକ ପ୍ରଶ୍ନ ମନକୁ ଆସୁଥିବାବେଳେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେବଳ ସାମରିକ ଉଦ୍ଦେଶ୍ୟରେ ନୁହେଁ ବରଂ କିଛି ଖାସ୍‌ ଉଦ୍ଦେଶ୍ୟରେ ଏମାନେ ଡେରା ପକାଇଛନ୍ତି। ଏଥିସହିତ ଭାରତକୁ ଭାରତୀୟ କ୍ଷେତ୍ରରେ ମଧ୍ୟ ସଡକ ନିର୍ମାଣ କରିବାକୁ ଦେଉ ନାହାନ୍ତି।

ପ୍ରକୃତ କଥା ହେଲା, ଲଦାଖରେ ୟୁରାନିୟମ, ଗ୍ରାନାଇଟ୍‌, ସୁନା ପରି ବିରଳ ବହୁମୂଲ୍ୟ ଧାତୁ ରହିଛି। କୁହାଯାଉଛି, ପ୍ରାଚୀନ କାଳରେ ୧୦ ହଜାର ଓଟ ଏବଂ ଘୋଡା ସାହାଯ୍ୟରେ ଲଦାଖ ରାସ୍ତା ଦେଇ ଚୀନ ବାଣିଜ୍ୟ ବ୍ୟବସାୟ କରୁଥିଲା। ଲେହ ରାସ୍ତା ଦେଇ ଏହି ଓଟ, ଘୋଡ଼ା ଚୀନର ୟାରକନ୍ଦ, ସିନ୍‌କିଆଙ୍ଗ ଏବଂ ତିବ୍ବତ୍‌ ରାଜଧାନୀ ଲହାସା ପର୍ଯ୍ୟନ୍ତ ଯାଉଥିଲେ।

ଲଦାଖର ଗଲବାନ ରିଜନର ଯେଉଁ ଜାଗାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଲାଗି ରହିଛି ଏହାର ଠିକ୍‌ ନିକଟ ଗୋଗରା ପୋଷ୍ଟ ନିକଟରେ ଏକ ଗୋଲ୍‌ଡେନ ମାଉଣ୍ଟେନ୍‌ ରହିଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି କ୍ଷେତ୍ର ଉପରେ ବିଶେଷ ଗବେଷଣା ହୋଇପାରୁ ନାହିଁ। ହେଲେ କୁହାଯାଉଛି, ଏଠାରେ ସୁନା ସହ ଅନେକ ବହୁମୂଲ୍ୟ ଧାତୁ ଲୁଚି ରହିଛି।

ଲଦାଖର ଅନେକ ଇଲାକାରେ ଉଚ୍ଚମାନର ୟୁରାନିୟମ ଖଣି ରହିଛି। ଯେଉଁଥିରୁ ପରମାଣୁ ବିଜୁଳି ସହ ପରମାଣୁ ବୋମା ତିଆରି କରାଯାଇ ପାରିବ।

କୁହାଯାଉଛି ଲଦାଖ ଚଟ୍ଟାଣରେ ସବୁଠାରୁ ଅଧିକ ୟୁରାନିୟମ ରହିଛି। ୨୦୦୭ରେ ଜର୍ମାନୀର ଏକ ଗବେଷଣାଗାରରେ ଚଟ୍ଟାଣର ନମୂନା ପରୀକ୍ଷା ପରେ ଏହିକଥା ପ୍ରଥମେ ଜଣାପଡ଼ିଥିଲା। ଏଠାରେ ୫.୩୬ ପ୍ରତିଶତ ୟୁରାନିୟମ ମିଳିଥିବା ସେତେବେଳେ ଜଣାପଡ଼ିଥିଲା। ଏହି ଅଞ୍ଚଳରେ ଯେତିକି ୟୁରାନିୟମ ରହିଛି ତାହା ଦେଶର ଅନ୍ୟ ସ୍ଥାନରେ ଥିବା ୟୁରାନିୟମଠାରୁ ଅଧିକ। ଏଠି କହି ରଖିବୁ, ଲଦାଖ ଭାରତୀୟ ଏବଂ ଏସିଆ ପ୍ଲେଟର ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ୟୁରାନିୟମରେ ଭର୍ତ୍ତି ଲଦାଖର ଚଟ୍ଟାଣ ଅନ୍ୟ ସ୍ଥାନ ତୁଳନାରେ ନୂଆ। ଭାରତରେ ଏପରି ୟୁରାନିୟମ ଭର୍ତ୍ତି ଚଟ୍ଟାଣ ଆନ୍ଧ୍ର, ଛତିଶଗଡ଼, ଝାଡଖଣ୍ଡରେ ଦେଖିବାକୁ ମିଳିଥାଏ। ହେଲେ ଏହା ୨୫୦୦ରୁ ୩୦୦୦ ବର୍ଷ ପୁରୁଣା।

ଖାଲି ସେତିକି ନୁହେଁ, ଏହି ଚଟ୍ଟାଣରୁ ୦.୩୧-୫.୩୬ ପ୍ରତିଶତ ୟୁରାନିୟମ ଏବଂ ୦.୭୬-୧.୪୩ ପ୍ରତିଶତ ଥୋରିୟମ ମିଳିଥିଲା। ଏହି ୟୁରାନିୟମ କୋହିସ୍ଥାନ, ଲଦାଖ ଏବଂ ଦକ୍ଷିଣୀ ତିବ୍ବତ ପର୍ଯ୍ୟନ୍ତ ବ୍ୟାପ୍ତ। ଏହା ପୂର୍ବରୁ ଚୀନ ଅରୁଣାଚଳ ପ୍ରଦେଶର ଉପର ସୁମ୍ବସିରି ଜିଲ୍ଲରୁ ମାତ୍ର ୧୫ କିମି ଦୂରରେ ଖନନ କରି ସୁନା ଏବଂ ବିରଳ ଅର୍ଥ ବାହାର କରିଥିଲା। ଏହି ସୁନା ତାକୁ ତିବ୍ବତର ୟୁଲେମଡ ଗ୍ରାମରୁ ମିଳିଥିଲା।

ଗଣମାଧ୍ୟ ସୂଚନା ଅନୁଯାୟୀ, ଚୀନର ଏହି ଇଲାକାରୁ ବିପୁଳ ପରିମାଣର ସୁନା, ରୂପା ଏବଂ ବିରଳ ଅର୍ଥ ମିଳିଛି। ଏହାର ମୂଲ୍ୟ ପାଖାପାଖି ୬୦ ଅରବ ଡଲାର ହେବ। ଏହାକୁ ବାହାର କରିବା ପାଇଁ ଚୀନ୍‌ ଅରୁଣାଚଳସୀମାରେ ସୁଡଙ୍ଗ ଖୋଳିବା ସହ ଯୋଗାଯୋଗ ଉପକରଣ ଲଗାଇଛି। ଚୀନ ପୁରା ଇଲାକାରେ ସଡକର ଜାଲ ବିଚ୍ଛାଇବା ସହ ଏୟାରପୋର୍ଟ ବି କରିଛି। ହଜାର ହଜାର ଲୋକ ଏଠାରେ କାମ କରୁଛନ୍ତି।

You might also like