ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଫିଟୁଛି ବାଟ

ପଛକୁ ଫେରିଲା ଡ୍ରାଗନ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବାଟ ଖୋଲିଲା। ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟରୁ ସେନା ଓ ଯୁଦ୍ଧ ଟ୍ୟାଙ୍କ୍ ଚୀନ ପ୍ରତ୍ୟାହାର କରି ନେଇଛି ବୋଲି ସୂଚନା ରହିଛି। ଚୀନର ପିପୁଲ ଲିବରେସନ୍ ଆର୍ମୀ ପକ୍ଷରୁ ଏଠାରେ ନିୟୋଜିତ ଥିବା ୨୦୦ରୁ ଅଧିକ ଯୁଦ୍ଧ ଟ୍ୟାଙ୍କ୍ ହଟାଇ ନିଆଯାଇଥିବା ସୂଚନା ମିଳିଛି। ଏହାସହ ପାଙ୍ଗଙ୍ଗ ହ୍ରଦର ଫିଙ୍ଗର-୫ ଅଞ୍ଚଳରୁ ନିଜ ହେଲିପ୍ୟାଡକୁ ବି ହଟାଇଛି।

ଫିଙ୍ଗର-୫ରୁ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା ଚାଇନା। ଆଉ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ୧୦ମ ସେନା କମାଣ୍ଡରସ୍ତରୀୟ ଆଲୋଚନା ବେଳେ ସୀମାରୁ ସେନା ହଟାଇବାକୁ ଦାବି ରଖିଥିଲା ଭାରତ। ୧୫ ଦିନ ଭିତରେ ଏ ପ୍ରକ୍ରିୟା ସାରିବାକୁ ନିଷ୍ପତ୍ତି ବି ହୋଇଥିଲା। ତେବେ ଏହା ପୂର୍ବରୁ ଗତ ଗୁରୁବାର ୧୦୦ରୁ ଅଧିକ ଭାରୀଯାନରେ ଟ୍ୟାଙ୍କଗୁଡ଼ିକୁ ହଟାଇ ନିଆଯାଇଥିବା ଜଣାପଡ଼ିଛି। ଚୁକ୍ତି ଅନୁସାରେ ଚୀନ୍ ସୀମାରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ବେଜିଂ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ତେବେ ଗତ ଜାନୁଆରୀ ୨୫ ତାରିଖରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ ସେନା । ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଭାରତ ଚୀନ ସେନା ପୁଣି ମୁହାଁମୁହିଁ ହୋଇଥିଲେ । ପୂର୍ବରୁ ସିକ୍କିମର ନାକୁଲାରେ ଚୀନ ସନା ସୀମାର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । ଏ‍ବଂ କିଛି ଚୀନ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ବାରମ୍ବାର ଚୀନର ବଦମାସି ପରେ ଅନୁପ୍ରବେଶ ଉଦ୍ୟମ ପରେ ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

ନାଥୁଲାରେ LAC ଡେଇଁ ଭାରତର ସୀମାରେ ଅନୁପ୍ରବେଶ କରିବାକୁ ପୂର୍ବରୁ ମଧ୍ୟ ଚେଷ୍ଟା କରୁଥିଲେ ଚୀନ୍ ସେନା। ଏହାକୁ ଭାରତୀୟ ସୈନ୍ୟ ପ୍ରତିରୋଧ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା । ତେବେ ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ମଧ୍ୟରେ ଦୁଇ ପକ୍ଷର କିଛି ଯବାନ ଆହତ ବି ହୋଇଥିଲେ । ଏଥିରେ ୨୦ରୁ ଅଧିକ ଚୀନ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଥିଲା । ମୋଟ୍ ଉପରେ କହିବାକୁ ଗଲେ, ବାରମ୍ବାର ଚୀନ ସେନା ବଦମାସି କରୁଥିବା ବେଳେ ଏବେ ସମାଧାନ କରିବାକୁ କହୁଛି। କିନ୍ତୁ ପୂର୍ବରୁ ଅନେକ ଥର ଶାନ୍ତି ବଜାୟ ରଖିବ କହି ଅଶାନ୍ତି ସୃଷ୍ଟି କରିଛି ତେଣୁ ଏବେର ପ୍ରତିଶ୍ରୁତି କେତେ ଦିନ ପାଳନ କରିବ ତାହା ଦେଖିବାକୁ ବାକି ରହିଲା।

You might also like