ସୀମାରେ ପୁଣି ଉତ୍ତେଜନା ! ଭାରତ-ଚୀନ ସେନା ହାତାହାତି, ରକ୍ତାକ୍ତ ସଂଘର୍ଷରେ ୨୦ରୁ ଅଧିକ ଚୀନ ସୈନ୍ୟ ଆହତ

ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଭାରତ ଚୀନ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ତିନି ଦିନ ପୂର୍ବରୁ ସିକ୍କିମର ନାକୁଲାରେ ଚୀନ ସନା ସୀମାର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । ଏ‍ଂ କିଛି ଚୀନ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ତେବେ ଏନେଇ ଜଣେ ଭାରତୀୟ ବରିଷ୍ଠ ସେନାଅଧିକାରୀ କହିଛନ୍ତି, ଭାରତୀୟ ଅଞ୍ଚଳ ସମେତ ଅନେକ ପଏଣ୍ଟରେ ପାଗ ଭଲ ନଥିବାବେଳେ ଯବାନମାନେ ଆଲର୍ଟରେ ଅଛନ୍ତି । ଅନୁପ୍ରବେଶ ଉଦ୍ୟମ ପରେ ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

ସୁଧୁରିବନି ଚୀନ । ନାଥୁଲାରେ LAC ଡେଇଁ ଭାରତର ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ଚୀନ୍ ସେନା ।   ଏହାକୁ ଭାରତୀୟ ସୈନ୍ୟ ପ୍ରତିରୋଧ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା । ତେବେ ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ମଧ୍ୟରେ ଦୁଇ ପକ୍ଷର କିଛି ଯବାନ ଆହତ ହୋଇଛନ୍ତି । ଏଥିରେ ୨୦ରୁ ଅଧିକ ଚୀନ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଶେଷରେ ଚୀନ ସେନାକୁ ସେଠାରୁ ତ଼ଡ଼ିବାରେ ସଫଳ ହୋଇଛି ଭାରତୀୟ ସେନା । ୨-୩ ଦିନ ତଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।

ଏପଟେ ଶାନ୍ତି ପାଇଁ ଆଲୋଚନା, ସେପଟେ ସୀମା ଡେଇଁ ଭାରତରେ ପ୍ରବେଶ କରିବାକୁ ଚୀନ ସେନାର ଅପଚେଷ୍ଟା ଚଳାଇଛି । ଗତକାଲି ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ମୋଲ୍ଡାରେ ୧୫ ଘଣ୍ଟା ଧରି ଆଲୋଚନା ହୋଇଥିଲା ।  ଗତକାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଏହି ବୈଠକ ଶେଷ ହୋଇଥିଲା। ତେବେ ଏହି ବିବାଦର ଶୀଘ୍ର ଅନ୍ତ ହେବାପରି ଲାଗୁ ନାହିଁ । ଏଥିପାଇଁ କୂଟନୈତିକ ସ୍ତରୀୟ ଆଲୋଚନା ମଧ୍ୟ ହେବା ଆବଶ୍ୟକ ବୋଲି ଅଧିକାରୀମାନେ କହିଛନ୍ତି । ତେବେ ବୈଠକରେ  ଭାରତ ସ୍ପଷ୍ଟ କରିଦେଇଛି, ପୂର୍ବ ସ୍ଥିତିକୁ ଚୀନ ଫେରିବା ପରେ ହିଁ ଭାରତ ସୈନ୍ୟ ପ୍ରତ୍ୟାହାର କରିବ । ଏପ୍ରିଲ ୨୦୨୦ ବେଳର ସ୍ଥିତି ଫେରାଇବା ସହ ସୀମାରୁ ସୈନ୍ୟ ପ୍ରତ୍ୟାହାର ଲାଗି ଦାବି କରାଯାଇଛି । ଗତ ବର୍ଷ ମେ ୫ ତାରିଖରୁ ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ।

 

You might also like