ରେମ୍‌ଡେସିଭିରର ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ

ଟିକାର ଅଭାବ ପରିଲକ୍ଷିତ ନହେବା ଉଦ୍ଦେଶ୍ୟରେ ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ : ଦେଶରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଭିତରେ ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଉତ୍ପାଦନ ହେଉଥିବା ରେମେଡେସିଭିର୍ ଔଷଧକୁ ଅନ୍ୟ ଦେଶକୁ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି । କରୋନା ସଂକ୍ରମଣ ସ୍ଥିତିରେ ସୁଧାର ନଆସିବା ଯାଏଁ ରପ୍ତାନୀ ଉପରେ ରୋକ ଲଗାଇଛନ୍ତ କେନ୍ଦ୍ର ସରକାର । ଅନ୍ୟପଟେ ଏହି ଔଷଧକୁ କରୋନାର ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ରେମଡେସିଭିର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିରୋଗ ନକଲେ ବି ଗୁରୁତର କୋଭିଡ୍‌ ପୀଡ଼ିତଙ୍କ ପାଇଁ ଏହା ସଞ୍ଜିବନୀ ସଦୃଶ । ମେଡ଼ିକାଲରେ ରହଣୀ ସମୟସୀମାକୁ କମ୍ କରିଦିଏ ରେମଡେସିଭିର ।  ଲକ୍ଷଣ ଦେଖାଦେବାର ୯ ଦିନ ଭିତରେ ଏହି ଔଷଧକୁ ବ୍ୟବହାର କଲେ କିଛିମାତ୍ରାରେ ଉପଶମ ମିଳିଥାଏ।

ରେମଡେସିଭିର୍ ସମ୍ବନ୍ଧରେ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା 

  • ୱେବସାଇଟରେ ରେମେଡିସଭିରର ଷ୍ଟକ୍ ଏବଂ ବିତରକ ସମ୍ପର୍କରେ ସୂଚନା ଦେବାକୁ ସମସ୍ତ Domestic Manufacturersଙ୍କୁ ପରାମର୍ଶ ଦିଆଯାଇଛି ।
  • ଡ୍ରଗ୍ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନଙ୍କୁ  ଷ୍ଟକ୍ ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋର୍ଡିଂ ଏବଂ କଳାବଜାରୀ ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଔଷଧ ନିରୀକ୍ଷକଙ୍କ ସହଯୋଗରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏହାର ସମୀକ୍ଷା କରିବେ ।
  • ରେମଡେସିଭିର୍ ଉତ୍ପାଦନ ବୃଦ୍ଧି ପାଇଁ Department of Pharmaceuticals ଘରୋଇ ଉତ୍ପାଦକ ବିଭାଗ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଗତକାଲି ବି ଦେଶବ୍ୟାପି ରେକର୍ଡ କରିଥିଲା କରୋନାର ଦୈନିକ ସଂକ୍ରମଣ । ଦେଢ଼ ଲକ୍ଷ ଟପିବା ସହ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୮୩୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୯ ହଜାର ୨୭୫କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୮ ହଜାର ୮୭  ରହିଥିବା ବେଳେ କରୋନାକୁ ହରାଇ ସୁସ୍ଥ ହେଲେଣି ୧ କୋଟି ୨୦ ଲକ୍ଷ ୮୧ ହଜାର ଏବଂ ୪୪୩ ଜଣ ବ୍ୟକ୍ତି ।

 ଅନ୍ୟପଟେ ଦେଶରେ ଚାରିଦିନିଆ ଟିକା ଉତ୍ସବ ଆରମ୍ଭ  ହୋଇସାରିଛି ।  ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ  ଜୟନ୍ତୀରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶେଷ ହେବ । ଯୋଗ୍ୟ ବିବେଚିତ ଲୋକମାନଙ୍କୁ କେମିତି ଅଧିକରୁ ଅଧିକ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଟିକାର ଶୂନ୍ୟ ଅପଚୟକୁ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

You might also like