ୟୁକେ ଫେରନ୍ତା ସମସ୍ତ ବିମାନ ବ୍ୟାନ୍ କଲା ଭାରତ
ନୂଆଦିଲ୍ଲୀ: ବ୍ରିଟେନ୍ରୁ ଆସୁଥିବା ସମସ୍ତ ବିମାନକୁ ବ୍ୟାନ କରିଛି ଭାରତ। ଏଣିକି ବ୍ରିଟେନ୍ରୁ କୌଣସି ବିମାନ ଭାରତ ଆସିପାରିବ ନାହିଁ। ବ୍ରିଟେନ୍ରେ ନୂଆ ଓ ଅଧିକ ସଂକ୍ରାମକ କରୋନା ଭାଇରସ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ଭାରତ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ବିମାନବନ୍ଦର ସମୟ ଅନୁସାରେ ମଙ୍ଗଳବାର ୨୩:୫୯ ଅର୍ଥାତ ସନ୍ଧ୍ୟା ୮ରେ ଏହି ବ୍ୟାନ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଡିସେମ୍ବର ୩୧ ତାରିଖରେ ସମାନ ସମୟରେ ବ୍ୟାନ୍ ଉଠିବ ବୋଲି ସୂଚନା ମିଳିଛି। ବ୍ରିଟେନ୍ରେ କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି “ ୟୁକେ(ୟୁନାଇଟେଡ୍ କିଂଡମ୍)ର ବର୍ତ୍ତମାନ ସ୍ଥିତିକୁ ଦେଖି ଭାରତ ସରକାର ୟୁକେରୁ ଆସୁଥିବା ସମସ୍ତ ଫ୍ଲାଇଟ୍ ଡିସେମ୍ବର ୩୧(୨୩:୫୯) ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ” ଅସ୍ଥାୟୀ ଭାବେ ୟୁକେ ଫେରନ୍ତା ଫ୍ଲାଇଟ୍ ଉପରେ ବ୍ୟାନ ଲଗାଯାଇଛି ବୋଲି ସରକାର କହିଛନ୍ତି।
ତେବେ ମଙ୍ଗଳବାର ସୁଧା ୟୁକେରୁ ଆସିବାକୁ ଥିବା ଫ୍ଲାଇଟ୍ଗୁଡ଼ିକର ପେସେଞ୍ଜରମାନଙ୍କୁ କରୋନାଟେଷ୍ଟ କରାଯିବ। ଡିସେମ୍ବର ୨୨ ତାରିଖ ପୂର୍ବରୁ ୟୁକେରୁ ଆସୁଥିବା ସମସ୍ତ ଫ୍ଲାଇଟ୍ର ଟେକ୍ ଆଫ୍ କରିବାରୁ ପୂର୍ବରୁ ଓ ଭାରତରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ଆର୍ଟିପିସିଆର୍ ଟେଷ୍ଟ କରିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ୟୁକେରୁ ଆସୁଥିବା ଫ୍ଲାଇଟ୍ ବ୍ୟାନ୍ କରିବାରେ ଭାରତ ପ୍ରଥମ ଦେଶ ନୁହେଁ, ଏହା ପୂର୍ବରୁ ଅନ୍ୟ ୯ଟି ଦେଶ ବି ୟୁକେ ଫେରନ୍ତା ଫ୍ଲାଇଟ୍ ବନ୍ଦ କରିସାରିଲେଣି। ଏପରି ନିଷ୍ପତ୍ତି ନେବାର ଭାରତ ୧୦ ନମ୍ବର ରାଷ୍ଟ୍ର ହୋଇଛି।
ବ୍ରିଟେନ୍ରେ ଏକ ନୂଆ ପ୍ରକାର କରୋନା ଭାଇରସ ସଂକ୍ରମିତ ହେଉଥିବା ଦେଖାଯାଇଛି। ଏହି ଭାଇରସ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣାଂଶରେ ଏହାର ସଂକ୍ରମଣ ହୋଇଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜହନସନ୍ ଘୋଷଣା କରିଥିଲେ। କରୋନାଭାଇରସର ଏହି ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାଯାଇଛି।
ବ୍ରିଟେନ୍ରେ ନୂଆ କରୋନା ଭାଇରସ ନେଇ ବୋରିସ ଜୋହନସନଙ୍କର ଘୋଷଣା ପରେ ଗତ ଶନିବାର ଫ୍ରାନ୍ସ , ଜର୍ମାନୀ, ଇଟାଲୀ, ଦି ନେଦର୍ଲ୍ୟାଣ୍ଡ, ବେଲଜିୟମ୍, ଅଷ୍ଟ୍ରିଆ, କାନାଡା, ଆୟର୍ଲ୍ୟାଣ୍ଡ, ଏବଂ ବୁଲଗାରିଆ ୟୁକେ ଫେରନ୍ତ ଫ୍ଲାଇଟ୍ ଉପରେ ବ୍ୟାନ ଲଗାଇଛନ୍ତି।
ତେବେ ବ୍ରିଟେନ୍ରେ ଦେଖାଦେଥିବା ନୂଆ ଭାଇରସ ନେଇ କେନ୍ଦ୍ର ସରକାର ସତର୍କ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ତେଣୁ ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟର ଏକ ପରିଚାଳନା କମିଟି ବୈଠକ ବି ହୋଇଛି।