ପାକିସ୍ତାନର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନୂଆ ତାଲିକାରେ ମୁମ୍ବାଇ ଆକ୍ରମଣର ୧୯ ଜଣଙ୍କ ନାଁ ସାମିଲ୍

ନୂଆଦିଲ୍ଲୀ: ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ଏବେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀର ନୂଆ ତାଲିକା ଜାରି କରିଛି। ପାକିସ୍ତାନ ଜାରି କରିଥିବା “ ବୁକ୍ ଅନ୍‌ ମୋଷ୍ଟ ୱାଣ୍ଟେଡ୍/ ହାଇ ପ୍ରୋଫାଇଲ୍‌ ଟେରୋରିଷ୍ଟ” ତାଲିକାରେ ୨୬/୧୧ ମୁମ୍ବାଇ ଆକ୍ରମଣ ସାମିଲ୍ ଥିବା ଅନେକ ଆତଙ୍କବାଦୀଙ୍କ  ନାଁ ରହିଛି। ଯାହାକୁ ନେଇ ଏବେ ପାକିସ୍ତାନକୁ ପ୍ରଶ୍ନ କରିଛି ଭାରତ। ମୁମ୍ବାଇ ଆକ୍ରମଣକୁ ୧୨ ବର୍ଷ ପୂରିବା ପୂର୍ବରୁ ପାକିସ୍ତାନ ଏହି ତାଲିକା ପ୍ରସ୍ତୁତ କରିଥିବାରୁ ପାକିସ୍ତାନ ନ୍ୟାୟ କରୁ ବୋଲି ଭାରତ କହିଛି।

ଏ ନେଇ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଆତଙ୍କବାଦୀ ମାମଲାରେ ଆଳ ନ ଦେଖାଇ ଅନ୍ତର୍ଜାତୀୟ ଦାୟିତ୍ୱ ତୁଲାଇବାକୁ ଭାରତ ସରକାର ବାରମ୍ବାର ପାକିସ୍ତାନକୁ କହିଛନ୍ତି। କାରଣ ଏଥିରେ କେବଳ ଭାରତୀୟଙ୍କ ଜୀବନ ଯାଇନି, ଏଥିରେ ବିଦେଶୀ ନାଗରିକମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଅନ୍ୟଦେଶଗୁଡ଼ିକ ମଧ୍ୟ ପାକିସ୍ତାନକୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଭାରତ ଏଥିପାଇଁ ବାରମ୍ବାର ପ୍ରମାଣ ଦେଖାଇବା ପରେ ବି ପାକିସ୍ତାନ ଏ ନେଇ କୌଣସି ପଦକ୍ଷେପ ନେଇ ନଥିଲା ବୋଲି ଅନୁରାଗ କହିଛନ୍ତି।

ଏବେ ପାକିସ୍ତାନର ଫେଡେରାଲ୍‌ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି ଜାରି କରିଥିବା ୧୨୧୦  ମୋଷ୍ଟ ୱାଣ୍ଟେଡ୍/ ହାଇ ପ୍ରୋଫାଇଲ୍‌ ଟେରୋରିଷ୍ଟ ତାଲିକାରେ ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ୧୯ ଆତଙ୍କବାଦୀଙ୍କ ନାଁ ରହିଛି। ଯଦିଓ ମୁମ୍ବାଇ ଆକ୍ରମଣ ନେଇ ପାକିସ୍ତାନ କୌଣସି ସହାୟତା କରିନଥିବା ବେଳେ ଏଫ୍‌ଆଇଏର ୨୮ ତାଲିକାରେ କିନ୍ତୁ ମୁମ୍ବାଇ ଆକ୍ରମଣକାରୀଙ୍କ ନାଁ ରହିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାକୁ ଅନ୍ତର୍ଜାତୀୟ ସ୍ତରରେ ଅନେକ ଚାପ ପଡ଼ିବା ପରେ କେବଳ ଲୋକ ଦେଖାଣିଆ ପାଇଁ ପାକିସ୍ତାନ ଏହି ତାଲିକା ପ୍ରସ୍ତୁତ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ଏଫ୍‌ଆଇଏ ତାଲିକାରେ ଏହି ଆତଙ୍କବାଦୀଙ୍କ ନାଁ ସ୍ଥାନିତ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଖାସ୍‌ କରି ମୁମ୍ବାଇ ଆକ୍ରମଣରେ ମାଷ୍ଟର ମାଇଣ୍ଡ୍‌  ହଫିଜ୍‌ ସୟୀଦ୍‌ ଜକି-ଉର୍‌ ରେହମାନେ ଲଖବୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ପାକିସ୍ତାନ।

ପାକିସ୍ତାନ ନୂଆ ଲିଷ୍ଟରେ ଜାତିସଂଘ ଘୋଷିତ ଲକ୍ସର-ଇ ତୟବାର କିଛି ଆତଙ୍କବାଦୀଙ୍କ ନାଁ ରହିଛି। ଯେଉଁମାନେ ମୁମ୍ବାଇ ଆକ୍ରମଣରେ ସାମିଲ୍ ଥିଲେ ବୋଲି ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

ପାକିସ୍ତାନ ଜାରି କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ମୁମ୍ବାଇ ଆକ୍ରମଣରେ ସାମିଲ୍ ଥିବା ୧୯ ଆତଙ୍କବାଦୀମାନେ ହେଲେ…

ଏମାନେ ସମସ୍ତେ ଲକ୍ସର-ଇ ତୟବାର ଆତଙ୍କବାଦୀ ସଂଗଠନର ପୂର୍ବତନ ସଦସ୍ୟ-

ମୁହମ୍ମଦ ଅମ୍‌ଜଦ ଖାନ/ ମୁମହମ୍ମଦ ସିଦ୍ଦିକି- ମୁମ୍ବାଇ ଆକ୍ରମଣରେ ବ୍ୟବହାର କରାଯାଇଥିବା ବୋଟ୍‌, ତା ସହିତ ୟାମାହ ମୋଟର ବୋଟ୍, ଲାଇଫ୍ ଜ୍ୟାକେଟ୍‌ , ଇନ୍‌ଫ୍ଲାଟେବଲ  ବୋଟ୍ସ ଏହି ସବୁ ସମାଗ୍ରୀ ମୁମ୍ବାଇ ଆକ୍ରମଣରେ ବ୍ୟବହାର କରାଯାଇଥିଲା

ଇଫ୍‌ତିଖର ଅଲ୍ଲୀ/ମୁହମ୍ମଦ ଅନୱାଲ- ଆତଙ୍କବାଦୀଙ୍କ ଯୋଗଯୋଗ ପାଇଁ ଇଫ୍‌ତିଖର ଭଏସ୍‌ ଓଭର ଇଣ୍ଟର୍‌ନେଟ ପ୍ରୋଟକଲ୍‌ ସେବାର ବ୍ୟବସ୍ଥା କରାଇଥିଲା।

ସେହିଭଳି ଅନ୍ୟମାନେ ହେଲେ ସହିଦ ଗଫୁର ବା ଅଫ୍‌ଦୁଲ ଗଫୁର ଅସି, ଅବଦୁଲ ରେହମାନ ବା ଖାଦିନ ହୁସେନ,  ଅତିକ ଉର ରେହମାନ ବା ଜମୀଲ ଉର- ରେହମାନ, ରିୟାଜ ଅହମଦ ବା ଅଲ୍ଲୀ ମୁହମ୍ମଦ, ମୁହମ୍ମଦ ମୁସ୍ତାକ ବା ମୁହମ୍ମଦ ଦୀନ, ମୁହମ୍ମଦ ନୟୀମ ବା ଗୁଲାମ ୟସୀନ, ଅବଦ୍ଦୁଲ ଶାକୋର ବା ରେହମ ଦୀନ, ମୁହମ୍ମଦ ସବୀର ସଲଫୀ ବା ଅବଦ୍ଦୁଲ ଗଫୁର, ମୁହମ୍ମଦ ଉସ୍‌ମାନ ବା ବଶୀର ଅହମଦ, ଶକୀଲ ଅହମଦ ବା ଶାହାରୟ ଖାନ, ମୁହମ୍ମଦ ଉସ୍‌ମାନ ଜିଆ ବା ମୁହମ୍ମଦ ବଶୀର ଜିଆ, ମୁହମ୍ମଦ ଅବ୍ବାସ ନାସିର ବା ଇସଲାମ ଉଦ୍‌-ଦିନ, ଜାଭେଦ୍‌ ଇକ୍‌ବାଲ ବା ମୁହମ୍ମଦ ମନୀର, ମୁଖତର ଅହମଦ ବା ମୁହମଦ ୟାର, ଅହମଦ ସୟୀଦ ବା ମୁହମ୍ମଦ ରାଫି ଉଲ୍ଲହା ମୁଫ୍‌ତୀ, ମୁହମ୍ମଦ ଖାନ ବା ଶାହଦାଦ। ଏମାନଙ୍କ ବ୍ୟତୀତ ହଫିଜ ସୟୀଦ ପାକିସ୍ତାନ ଜେଲ୍‌ରେ ବନ୍ଦ ଥିବା ବେଳେ ଜାକି-ଉର ରେହମାନ ଲଖବୀ ଗତବର୍ଷ ପାକିସ୍ତାନ ଆତଙ୍କବାଦୀ ତାଲିକାରେ ସ୍ତାନ ପାଇଥିଲା।  

 

You might also like