ଜରୁରୀ ବ୍ୟବହାର ପାଇଁ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲା ଅନୁମତି। ଏହି ଦୁଇ ଟିକାର ଜରୁରୀ ବ୍ୟବହାର ନେଇ Drug Controller General of India (DCGI) ଭିଜି ସୋମାନୀ ଅନୁମତି ଦେଇଛନ୍ତି।

କରୋନା ଟିକାର ଜରୁରୀ ବ୍ୟବହାର ନେଇ ଗ୍ରୀନ୍‌ ସିଗ୍ନାଲ୍‌ ମିଳିବା ପରେ ଯେକୌଣସି ସମୟରେ ଭାରତରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଏକ୍ସପର୍ଟ କମିଟି ସୁପାରିଶ କରିଥିଲା। ତେବେ ଆଜି ଏହାକୁ ବିଧିବଦ୍ଧ ଭାବେ ଜରୁରୀ ବ୍ୟବହାର ନେଇ ଅନୁମତି ମିଳିଛି।

ପ୍ରେସ୍‌ମିଟ୍‌ କରି DCGI ଭିଜି ସୋମାନୀ କହିଛନ୍ତି, ଉଭୟ ଟିକା ନିର୍ମାତା ସେମାନଙ୍କ ଟିକାର ପରୀକ୍ଷା ଏବଂ ସଫଳତା ନେଇ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଏହାକୁ ଅନୁଧ୍ୟାନ କରିବା ପରେ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦୁଇଟିଯାକ ଟିକା ଶହେ ପ୍ରତିଶତ ସୁରକ୍ଷିତ। ଅନ୍ୟ ଟିକା ଭଳି ଏହି ଟିକା ନେବା ପରେ ମଧ୍ୟ ଅଳ୍ପ ଜ୍ୱର ଏବଂ ଆଲର୍ଜି ଭଳି ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇପାରେ। ୧୦୦% ନିରାପଦ ହୋଇ ନ ଥିଲେ ଅନୁମତି ମିଳି ନଥାନ୍ତା। ତେବେ ତାହା ଗୁରୁତର ନୁହେଁ ବୋଲି ଡିସିଜିଆଇ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ, କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ DCGI ଅନୁମୋଦନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। କୋଭିଡମୁକ୍ତ ଦେଶ ଗଠନ ନେଇ ବାଟ ଖୋଲିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାସହ ବୈଜ୍ଞାନକ ଓ ଉଦ୍ଭାବକଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

You might also like