ଚୀନ୍‌ରୁ ମାଡି ଆସୁଛି ବିପଦ ! ଭାରତ ନୁହେଁ, ସାରା ବିଶ୍ୱ ସତର୍କ

ନୂଆଦିଲ୍ଲୀ: ଚୀନ୍‌ରୁ ମାଡ଼ି ଆସୁଛି ବିପଦ। ଏକ ଭୟାନକ ବିପଦ। ପଡ଼ୋଶୀ ଦେଶ ଭାବେ ଖାଲି ଭାରତ ନୁହେଁ, ସାରା ବିଶ୍ୱର ସତର୍କ ଦୃଷ୍ଟି ରହିଛି ଚୀନ ଉପରେ। ହଁ, ଏହି ବିପଦ ହେଉଛି ଏକ ଅଜଣା ରୋଗର। ଏହି ରୋଗକୁ ନେଇ ଚୀନ୍‌ରେ ଖେଳି ଯାଇଛି ଆତଙ୍କ।  ଚୀନର କେତେକ ପଡ଼ୋଶୀ ଦେଶକୁ ମଧ୍ୟ ବ୍ୟାପି ଗଲାଣି। ତେଣୁ ଭାରତରେ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ବଢୁଛି।

ନୋବେଲ କୋରୋନା ଭାଇରସ୍‌ରୁ ଏହି ରୋଗ ବ୍ୟାପୁଛି । ଯଦିଓ ଆମ ଦେଶରେ ଏ ପର୍ଯ୍ୟନ୍ତ ଏହି ଭାଇରସ ପ୍ରବେଶ କରିନାହିଁ, ତଥାପି ଭାରତ ସରକାର ସତର୍କ ଦୃଷ୍ଟି ରଖିଛନ୍ତି। ତେଣୁ ଚୀନ୍‌ରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଏୟାରପୋର୍ଟରେ ଯାଞ୍ଚ କରାଯିବ ବୋଲି କୁହାଯାଇଛି।

ସତର୍କତାସ୍ୱରୂପ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚୀନରୁ ଆସୁଥିବା ଯାତ୍ରୀଙ୍କୁ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ଏୟାରପୋର୍ଟରେ ଥର୍ମଲ ସ୍କାନରରେ ଯାଞ୍ଚ କରାଯିବ। ଏଥିସହିତ ସରକାର ଏକ ଟ୍ରାଭେଲ ଆଡ୍‌ଭାଇଜରୀ ମଧ୍ୟ ଜାରି କରିଛନ୍ତି। ଏଥରେ ଯେଉଁମାନେ ଚୀନ ଯାଉଛନ୍ତି ସେମାନେ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ ସେ ବିଷୟରେ ଉଲ୍ଲେଖ ରହିଛି।

ଏଠି କହିରଖିବୁ, ଚୀନ୍‌ରେ ଏହି ରୋଗ ଡିସେମ୍ବର ଶେଷ ସପ୍ତାହରୁ ଦେଖା ଦେଇଛି। ପ୍ରଥମେ ଡାକ୍ତର ଏହି ରୋଗକୁ ଚିହ୍ନଟ କରି ପାରିଲେନି। ନିମୋନିଆ ପରି ଜଣାପଡୁଥିବା ଏହି ରୋଗ କ’ଣ ବୁଝି ପାରିଲେନି। ପରେ ଜର୍ମାନର ବୈଜ୍ଞାନିକମାନେ ଏହି ରୋଗର ଭାଇରସ୍‌କୁ ଚିହ୍ନଟ କରିଥିଲେ। ତେବେ ଏହି ଭାଇରସ ପ୍ରଥମ ଥର ପାଇଁ ଚୀନ୍‌ରେ ହିଁ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଚୀନର ପ୍ରାୟ ୨୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ୨ ଜଣଙ୍କର ମୃତ୍ୟୁ ମଧ୍ୟ ଘଟି ସାରିଲାଣି। ସେତିକି ନୁହେଁ, ଚୀନରୁ ଜାପାନ ଓ ଥାଇଲାଣ୍ଡ ଯାଇଥିବା ଦୁଇଜଣ ବ୍ୟକ୍ତିଙ୍କଠାରେ ମଧ୍ୟ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଛି।

ଚୀନ ବୈଜ୍ଞାନିକମାନେ ପ୍ରାଥମିକ ସ୍ତରରେ ଭାବିଥିଲେ, ଏହି ଭାଇରସ କେବଳ ପକ୍ଷୀମାନଙ୍କଠାରୁ ମଣିଷଙ୍କ ଶରୀରକୁ ବ୍ୟାପିଥାଏ। କିନ୍ତୁ ଏହା ଯେ ମଣିଷଠୁ ମଣିଷକୁ ବ୍ୟାପିଥାଏ ତାହା ପରେ ଜାଣିବାକୁ ପାଇଥିଲେ। ତେବେ ଏହି ରୋଗ ଦ୍ରୁତଗତିରେ ସଂକ୍ରମିତ ହେଉଥିବାରୁ ଏସିଆ ଦେଶଗୁଡିକୁ ସତର୍କ ରହିବା ପାଇଁ କୁହାଯାଇଛି।

 କ’ଣ ଏହି ରହସ୍ୟମୟ ରୋଗ ?

ନୋବୋଲ କୋରୋନା ଭାଇରସ୍‌ର ପରିବାର ବେଶ ବଡ଼। ଏହି ପରିବାରର କିଛି ଭାଇରସ ଲୋକଙ୍କୁ ରୋଗରେ ଆକ୍ରାନ୍ତ କରାଏ, କିଛି ଭାଇରସ ଜୀବଜନ୍ତୁଙ୍କୁ  ଶିକାର କରିଥାଏ। ବିଶେଷକରି ଓଟ, ବିରାଡି। ତେବେ ଜୀବଜନ୍ତୁଙ୍କ ଶରୀରରେ ଥିବା ଏହି  ଭାଇରସ ନୂଆ ରୂପରେ ବିକଶିତ ହୋଇ ମନୁଷ୍ୟଙ୍କ ଶରୀରେ ପ୍ରବେଶ କରିଛି।

ଏହି ରୋଗର ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଉଛି। ହାଇ ଟେମ୍ପରେଚର୍‌, କାଶ, ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ। ହେଲେ ଏହି ରୋଗରେ ଆକ୍ରାନ୍ତ ଅନେକଙ୍କ ପାଖରେ ଏହି ଲକ୍ଷଣ ଦେଖିବାକୁ ମିଳି ନ ଥାଏ ବୋଲି ଡାକ୍ତର କହିଛନ୍ତି।

ଯାହା ବି ହେଉ, ଏହି ରୋଗକୁ ନେଇ ଭାରତ ସମେତ ଚୀନର ଅନ୍ୟ ପଡୋଶୀ ଦେଶରେ ସତର୍କତା ଅବଳମ୍ବନ କରାଯାଇଛି। କାରଣ ଇତିମଧ୍ୟରେ ଏହି ଭାଇରସ ଥାଇଲାଣ୍ଡ ଓ ଜାପାନରେ ପହଞ୍ଚି ସାରିଲାଣି।

 

You might also like