ପାନ୍‌- ଆଧାର ତଥ୍ୟ ନଦେଲେ ଦରମାରୁ କଟିବ ୨୦% ଟିଡିଏସ୍

ନୂଆଦିଲ୍ଲୀ: ଯଦି ଆପଣ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି, କିନ୍ତୁ ନିଯୁକ୍ତି ଦାତାଙ୍କୁ ପାନ୍‌ କିମ୍ବା ଆଧାର ତଥ୍ୟ ଦେଇ ନାହାଁନ୍ତି ତେବେ ସାବଧାନ। ଦରମାରୁ ୨୦% ଟଙ୍କା ନେବେ ନିଯୁକ୍ତି ଦାତା।  କାରଣ ତଥ୍ୟ ଦେଇନଥିବା କର୍ମଚାରୀଙ୍କ ଆୟରୁ ୨୦% ଟ୍ୟାକ୍ସ କାଟିବାକୁ ଆୟକର ବିଭାଗ ନିଯୁକ୍ତିଦାତା କମ୍ପାନୀଗୁଡ଼ିକ କହିଛି। ଏଭଳି ନିୟମ ସିବିଡିଟି (ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟର୍ ଟ୍ୟାକ୍ସ) ଗଠନ କରିଥିଲା। ଜାନୁଆରୀ ୧୬ରେ ଏହା କାର୍ଯ୍ୟକାରୀ ହୋଇଛି। ଏହି ନିୟମ କେବଳ ସେଇମାନଙ୍କ ପାଇଁ ଲାଗୁ ହେବ ଯେଉଁମାନେ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରୁଥିବେ।

ରାଜସ୍ୱ ସଂଗ୍ରହ ଉପରେ ନଜର ରଖିବାକୁ ଏଭଳି ନିୟମ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆକାରରେ ଏହି ବିଭାଗରୁ ମାତ୍ର ୩୭ ପ୍ରତିଶତ ରାଜସ୍ୱ ଆଦାୟ ହୋଇଥିଲା। ତେଣୁ ଏଥିପାଇଁ ଏଭଳି ନିୟମ ହୋଇଥିବା ଅନୁମାନ କରାଯାଉଛି।

ସିବିଡିଟିର ଜାରି କରିଥିବା ୮୬ ପୃଷ୍ଠା ବିଶିଷ୍ଟ ସାରକୁଲାରରେ କୁହାଯାଇଛି, ଆୟକର ଧାରା 201AA ଅନୁସାରେ ପ୍ରତ୍ୟେକ କର୍ମଚାରୀ ସେମାନଙ୍କ ପାନ୍‌ ଓ ଆଧାର ତଥ୍ୟ ଦେବାକୁ ବାଧ୍ୟ। କାରଣ ଏହାରି ଆଧାରରେ ଆୟକର କଟିଥାଏ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି କୌଣସି କର୍ମଚାରୀ ଏହି ତଥ୍ୟ ଦେଇ ନାହାନ୍ତି ତେବେ ନିଯୁକ୍ତି ଦାତା କମ୍ପାନୀ ଏଥିପାଇଁ ଦାୟୀ ରହିବେ। ଏହି ୨୦% କିମ୍ବା ତଦୁର୍ଦ୍ଧ୍ୱ ଆୟକରକୁ ନିଯୁକ୍ତିଦାତା କର ଆକାରରେ ଦିଅନ୍ତୁ କିମ୍ବା କର୍ମଚାରୀଙ୍କୁ ଦରମାରୁ କାଟି ଦେବେ।

 

You might also like