ଆଗାମୀ ଦିନରେ ଏହି ସବୁ ସ୍ଥାନ କରୋନାର ହେବ ହଟ୍‌ସ୍ପଟ୍‌

ପୁଣି ଟେନ୍‌ସନ୍‌ ଦେବ କରୋନା

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱକୁ କରୋନାର ୨ଟି ଲହର ଘାଇଲା କରିସାରିଥିବା ବେଳେ, କିଛି ଗବେଷକ ପୃଥିବୀର ଏମିତି କିଛି ଦେଶ ବା ସ୍ଥାନକୁ ଚିହ୍ନଟ କରିଛନ୍ତି, ଯେଉଁଠି ଆଗାମୀ ଦିନରେ ପୁଣି ଭୂତାଣୁ ସଂକ୍ରମଣର ହଟସ୍ପଟ୍‌ ସୃଷ୍ଟି ହୋଇପାରେ। ତିନିଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନେଚର ଫୁଡ୍ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ତୃତୀୟ ଲହରରେ ହଟସ୍ପଟ୍ ତାଲିକାରେ ଚୀନ ଆଗରେ ରହିପାରେ। ଭାରତର କେରଳ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ହଟସ୍ପଟ୍ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଅଂଚଳ ଗୁଡିକରେ ମାଂସ ପାଇଁ ଅଧିକ ପଶୁ ବ୍ୟବହାର କରାଯାଉଥିବାରୁ ସେଠାରୁ ହର୍ସ-ସୁ ବ୍ୟାଟ୍ ଦ୍ୱାରା ମନୁଷ୍ୟମାନଙ୍କୁ ସଂକ୍ରମିତ ହେବା ଅଧିକ ଆଶଙ୍କା ରହିଛି।

ପୁଣି ଥରେ କରୋନା ହଟସ୍ପଟ୍‌ ପାଲଟିପାରେ ଚୀନ୍। ସେଠାରୁ ପୁଣି ବ୍ୟାପିପାରେ ଭୂତାଣୁ। ସଂକ୍ରମଣ ୨୦୧୯ରେ ଚୀନର ଉହାନ୍ କରୋନା ସଂକ୍ରମଣର ହଟସ୍ପଟ୍‌ ପାଲଟିଥିଲା। ତେବେ ବିଶ୍ୱସ୍ତରରେ ମଣିଷ ଦ୍ୱାରା ଭୂମିର ବ୍ୟବହାରରେ ଆସିଥିବା ପରିବର୍ତ୍ତନ ଏବଂ କମ୍ ସ୍ଥାନରେ ସଂଖ୍ୟାଧିକ ଜୀବଜନ୍ତୁ ଖୁନ୍ଦି ହୋଇ ରହିବା କାରଣରୁ ପୁଣି ବିଶ୍ୱରେ କରୋନା ସଂକ୍ରମଣ ବ୍ୟାପିପାରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପୃଥିବୀର ଯେଉଁସବୁ ସ୍ଥାନ ପୁଣି ହଟସ୍ପଟ୍‌ ପାଲଟିବାର ଆଶଙ୍କା ରହିଛି, ସେହି ତାଲିକାରେ ଶୀର୍ଷରେ ରହିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏଭଳି ଉଦବେଗଜନକ ତଥ୍ୟକୁ ନେଇ ପୁଣି ବଢ଼ିଛି ଆଶଙ୍କା । କେବଳ ଚୀନ୍ ନୁହେଁ, ଜାଭା, ଭୁଟାନ, ପୂର୍ବ ନେପାଳ, ଉତ୍ତର ବାଂଲାଦେଶ ମଧ୍ୟ ହଟସ୍ପଟ ପାଲପାରେ ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତ ମଧ୍ୟ ଏହି ନୂଆ ଷ୍ଟ୍ରେନରୁ ବର୍ତ୍ତିବ ନାହିଁ। କେରଳ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟ ସମ୍ଭାବ୍ୟ ହଟସ୍ପଟ୍‌ ତାଲିକାରେ ରହିଛି। ଏହି ରାଜ୍ୟ ଗୁଡିକରେ ଅଧିକ ମାଂସ ବ୍ୟବହାର ହେଉଥିବାରୁ ଏପରି ଆଶଙ୍କା ଉପୁଜିଥିବା କୁହାଯାଉଛି। ଜାପାନ, ଫିଲିପାଇନ୍ସ ଓ ଥାଇଲାଣ୍ଡରେ ମଧ୍ୟ କରୋନାର ନୂଆ ଭୂତାଣୁ ଚିହ୍ନଟ ହୋଇ ସଂକ୍ରମଣରେ ଦ୍ରୁତ ବୃଦ୍ଧି ପାଇପାରେ ବୋଲି ଗବେଷଣାରୁ ଅନୁମାନ କରାଯାଉଛି।

ମନୁଷ୍ୟ ଦ୍ୱାରା ଜମିର ପରବର୍ତ୍ତିତ ବ୍ୟବହାର ଓ ମାଂସ ପାଇଁ ବ୍ୟବହାର ଉପରେ କାଲିଫର୍ଣ୍ଣିଆ ୟୁନିଭର୍ସିଟି, ମିଲାନ ପଲିଟେକନିକ୍ ୟୁନିଭର୍ସିଟି ଓ ନ୍ୟୁଜିଲାଣ୍ଡର ମାସେ ୟୁନିଭର୍ସିଟି ପକ୍ଷରୁ ମିଳିତ ଭାବେ ଏହି ଗବେଷଣା କରାଯାଇଥିଲା। ସେମାନଙ୍କ ତଥ୍ୟ ଅନୁଯାୟୀ, ଜଂଗଲ ଭିତରେ ଜନବସତି କିମ୍ବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, ଚାଷ ଜମିର ବୃଦ୍ଧି ଓ ମାଂସ ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିଯୋଗୁଁ ମନୁଷ୍ୟ ଅଧିକରୁ ଅଧିକ ହର୍ସ-ସୁ ବ୍ୟାଟ୍‌ର ନିକଟତର ହେଉଛି। ଫଳରେ ଏହି ପ୍ରଜାତିର ବାଦୁଡ଼ି ଶରୀରରେ ପ୍ରାକୃତିକ ଭାବେ ଥିବା କରୋନା ଭୂତାଣୁ ମଣିଷ ଶରୀରକୁ ସଂକ୍ରମିତ ହେବାର ଆଶଙ୍କା ବଢ଼ୁଛି। ଚୀନରେ ଗତ କିଛି ବର୍ଷ ଧରି ମାଂସ ଉତ୍ପାଦନ ଆଶାତୀତ ଭାବେ ବଢିବାରେ ଲାଗିଛି।

ଏଥିଯୋଗୁଁ ବ୍ୟାପକ ପରିମାଣରେ ପଶୁପାଳନ କରାଯାଉଛି। ଅଧିକ ସଂଖ୍ୟାରେ ପଶୁ ଏକାଠି ହେବା ମଧ୍ୟ ଏକ ଚିନ୍ତାଜନକ ବିଷୟ ସେମାନଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ଗବେଷକମାନେ ପଶ୍ଚିମ ୟୁରୋପରୁ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ରିମୋଟ୍ ସେନ୍ସିଂ ଦ୍ୱାରା ତଥ୍ୟ ସଂଗ୍ରହ କରିଥିଲେ। ଏହି ଅଂଚଳଗୁଡିକରେ ବିସ୍ତୀର୍ଣ୍ଣ ଜଙ୍ଗଲକୁ ଜନବସତି ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି ଏବଂ ମାଂସ ବୃଦ୍ଧି ପାଇଁ ଅଧିକ ପଶୁ ରଖାଯାଉଛି। ତେଣୁ ଏହି ଅଂଚଳଗୁଡିକ ହର୍ସ-ସୁ ବ୍ୟାଟ୍ ମାନଙ୍କୁ ସୁହାଉଛି। ଏବେ ବିଶ୍ୱରେ ଆତଙ୍କ ଖେଳାଉଥିବା କରୋନା ସଂକ୍ରମଣର ଉତ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ଠୋସ୍ ପ୍ରମାଣ ମିଳିନଥିବା ବେଳେ, ଏହି ପ୍ରଜାତିର ବାଦୁଡ଼ି ଠାରୁ ଏହା ମନୁଷ୍ୟକୁ ସଂକ୍ରମିତ ହେଉଥିବା ବୈଜ୍ଞନିକମାନେ ବିଶ୍ୱାସ କରୁଛନ୍ତି। ପୂର୍ବରୁ ମଧ୍ୟ ବାଦୁଡି ମାନଙ୍କ ଠାରୁ ସାର୍ସ, ନିପା ଓ ଇବୋଲା ଆଦି ଭୂତାଣୁ ସଂକ୍ରମଣ ବ୍ୟାପିଥିଲା।

You might also like