ଉତ୍ତରପ୍ରଦେଶ କଂଗ୍ରେସକୁ ଶକ୍ତ ଧକ୍କା ପରେ ଏବେ ପଞ୍ଜାବ ପାଳି..

ନୂଆଦିଲ୍ଲୀ: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟ୍‌କା । ବିଗତ କିଛି ସାଧାରଣ ନିର୍ବାଚନରେ କଂଗ୍ରେସ ସୁଧୁରୁଥିବା ଓ ବିଜେପି ଖସୁଥିବା କଂଗ୍ରେସ ଦାବି କରୁଥିବା ବେଳେ ଏବେ ପୁଣି ଲାଗିଛି ଝଟ୍‌କା । ଗତବର୍ଷ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ ଏବେ ଜିତିନ ଦ୍ୱିତୀୟ ହାଇପ୍ରୋଫାଇଲ ନେତା ଭାବେ କଂଗ୍ରେସ ଛାଡ଼ିଛନ୍ତି । ଏହାସହ ରାହୁଲ ଗାନ୍ଧିଙ୍କ ୨ ଘନିଷ୍ଠ ସହଯୋଗୀ ଏବେ ବିଜେପି ଶିବିରରେ ଯୋଗ ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଳା ଏବେ ରାଜସ୍ଥାନର ବିଦ୍ରୋହୀ ନେତା ସଚିନ ପାଇଲଟ୍ ମଧ୍ୟ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି । ଗୋଟିଏ ପଟେ ବୁଧବାର ଉତ୍ତରପ୍ରଦେଶରେ କଂଗ୍ରେସକୁ ଧକ୍କା ଲାଗିଥିବା ବେଳେ ସେପଟେ ପଞ୍ଜାବରେ ମଧ୍ୟ ଅନ୍ତର୍ଦ୍ୱନ୍ଦ ବଢ଼ିବାରେ ଲାଗିଛି । ଆସନ୍ତାବର୍ଷ ନିର୍ବାଚନ ଥିବା ବେଳେ ରାଜ୍ୟର ୨ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନଭଜ୍ୟୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ଲାଗି କଂଗ୍ରେସ ଏକ କମିଟି ଗଠନ କରିଛି । ବୁଧବାର ଏହି କମିଟି ଦିଲ୍ଲୀର ୧୫ ଜିଆରଜି ରୋଡ୍‌ରେ ବୈଠକ କରିଛି ।ଏହି ବୈଠକରେ ସମସ୍ୟାର ସମାଧାନନେଇ ଆଲୋଚନା କରାଯିବା ସହ ଆଗାମୀ ରଣନୀତି ଉପରେ ମଧ୍ୟ ଚର୍ଚ୍ଚା କରାଯାଇଛି ।

ରାଜ୍ୟରେ ଆସନ୍ତାବର୍ଷ ନିର୍ବାଚନ ଥିବାରୁ ଆଭ୍ୟନ୍ତରୀଣ କନ୍ଦଳକୁ ସମାଧାନ କରିବା ଳାଗି ଦଳର ବରିଷ୍ଠ ନେତା ଜୋରସୋରରେ ଲାଗି ପଡ଼ିଛନ୍ତି । ପୂର୍ବରୁ ଏହି ପ୍ୟାନେଲ ସିଦ୍ଧୁ ଏବଂ ଅମରିନ୍ଦରଙ୍କୁ ଦିଲ୍ଲୀ ଡକାଇ ଭିନ୍ନ ଭିନ୍ନ ସମୟରେ ଆଲୋଚନା କରିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ସିଦ୍ଧୁଙ୍କୁ ଦଳର ରାଜ୍ୟ ସଭାପତି କରାଯିବା ଉପରେ ବିଚାର ବିମର୍ଶ ଚାଲିଛି ।

କଂଗ୍ରେସ ଯଦି ଏଭଳି ପରିସ୍ଥିତିରେ ଗୋଷ୍ଠି କନ୍ଦଳ ସମସ୍ୟା ସମାଧନା କରିବାରେ ବିଫଳ ହୁଏ ତେବେ ଆଗାମୀ ଦିନରେ ଦଳ ଆହୁରି ରସା ତଳକୁ ଖସିବ ବୋଲି ରାଜନୀତି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଦେଶର ସର୍ବ ପୁରାତନ ରାଜନୈତିକ ଦଳ ପାଇଁ ଏଭଳି ସମସ୍ୟା ଯଥା ଶୀଘ୍ର ସମାଧାନ କରିବା ଜରୁରୀ ।

You might also like