୮ ଘଣ୍ଟା ଅପରେସନ୍ ପରେ କଟା ହାତ ଲାଗିଲା, ସୁସ୍ଥ ହେଇଛନ୍ତି ପଟିଆଲାର ଏଇ ପୋଲିସ ଅଫିସର

ପଟିଆଲା: ୮ ଘଣ୍ଟାର ଅପରେସନ୍ ପରେ ଏବେ ସୁସ୍ଥ ହୋଇଛନ୍ତି ପଞ୍ଜାବ ପଟିଆଲାର ଏଏସ୍ଆଇ ହରଜିତ୍ ସିଂହ। ଚଣ୍ଡିଗଡ଼ PGI ହସ୍ପିଟାଲ୍‌ରେ ହୋଇଥିବା ଅପରେସନ୍‌ରେ ତାଙ୍କ କଟା ହାତକୁ ପୁଣି ଥରେ ଲଗାଯାଇଛି। ଯାହା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି।

ଗତକାଲି ସାଢ଼େ ୭ ଘଣ୍ଟା ଧରି ହରଜିତ୍‌ଙ୍କ ହାତର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। ଯାହା ବେଶ ସଂଘର୍ଷପୂର୍ଣ୍ଣ ଥିବା ଡାକ୍ତରୀ ଟିମ୍ କହିଛନ୍ତି। ତେବେ ଅପରେସନ୍‌ର କିଛି ମାସ ପରେ ହରଜିତ୍ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ନେଇ ଆଶା ରଖିଛନ୍ତି ଡାକ୍ତର ।

ସେପଟେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।  ଅପରେସନ୍‌ରେ ସାମିଲ ଥିବା ସମସ୍ତ ଡାକ୍ତରୀ ଟିମ୍ ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି।  ଏହାସହ ହରଜିତ୍‌ଙ୍କ ଆଶୁ  ଆରୋଗ୍ୟ କାମନା କରିଛନ୍ତି।

ସୂଚନାଥାଉ କି, ଗତକାଲି ପଞ୍ଜାବ ପଟିଆଲା ପରିବା ମାର୍କେଟ ନିକଟରେ ଲକଡାଉନ୍ ନିୟମକୁ ଖିଲାପ କରିଥିବା କିଛି ଦୁର୍ବୃତ୍ତଙ୍କୁ ହରଜିତ୍‌ ବିରୋଧ କରିଥିଲେ। ଫଳରେ ସେମାନେ ହରଜିତଙ୍କୁ ଆକ୍ରମଣ କରିବା ସହ ତାଙ୍କ ହାତ ହାଣି ଦେଇଥିଲେ। ଏଥିରେ ହରଜିତ୍‌ଙ୍କ ସହ ଅନ୍ୟ ଦୁଇ ପୋଲିସ୍ ବି ଆହତ ହୋଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏହି ମାମଲାରେ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

You might also like