ବାହାଘର ପରେ ସୁନା ନଆଣିବାରୁ ବୋହୂକୁ ମାରିଦେଲେ ! ଶ୍ୱଶୁର ଘର ଅଗଣାରେ ଝିଅର ଅନ୍ତିମ ସଂସ୍କାର କଲେ ବାପ ଘର ଲୋକେ

ମୁମ୍ବାଇ: ବାହାଘର ପରେ ଯୌତୁକ ନଆଣିବାରୁ ବୋହୂକୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି, ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଝିଅ ଉପରେ ଚାପ ପକାଉଥିଲେ। ତେବେ ଯେତେବେଳେ ଯୌତୁକ ମିଳିଲା ନାହିଁ ସେମାନେ ତାକୁ ବିଷ ଦେଇ ମାରିଦେଲେ। ଝିଅକୁ ମାରି ଦିଆଯାଇଥିବା ଅଭିଯୋଗ ଆଣି ଏଥିରେ କ୍ରୋଧାନ୍ୱିତ ହୋଇ ବାପ ଘର ଲୋକେ ତାଙ୍କ ଅନ୍ତିମ ସଂସ୍କାର ଶ୍ୱଶୁର ଘର ଅଗଣାରେ କରିଥିଲେ। ମହାରାଷ୍ଟ୍ର ବାରାମତୀର ସାଙ୍ଗଭି ଗାଁରେ ଏହି ଘଟଣା ଘଟିଛି।

ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ସୂଚନା ଅନୁସାରେ, ବର୍ଷକ ପୂର୍ବେ ୨୧ ବର୍ଷୀୟ ଗୀତାଞ୍ଜଳିଙ୍କ ବିବାହ ସାଙ୍ଗଭି ଗାଁର ଅଭିଷେକଙ୍କ ସହ ହୋଇଥିଲା। ମେ’ ୨୪ରେ ସେମାନଙ୍କର ବିବାହ ବାର୍ଷିକୀ ଥିଲା। ଏହାର କିଛିଦିନ ପରେ ଗୀତାଞ୍ଜଳିଙ୍କ ସମ୍ପର୍କୀୟଙ୍କୁ ଅଭିଷେକ ଫୋନ୍‌ କରି କହିଥିଲେ ସେ ବିଷ ପିଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବାରାମତି ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ପୁଣେ ସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। 

ସୁନା ପାଇଁ ବୋହୂକୁ ମାର୍‌ପିଟ୍‌ କରୁଥିଲେ ଶ୍ୱଶୁର ଘର ଲୋକ…

ଗୀତାଞ୍ଜଳିଙ୍କ ମୃତ୍ୟୁକୁ ନେଇ ଶ୍ୱଶୁର ଘର ଲୋକେଙ୍କ ବିରୋଧରେ ତାଙ୍କ ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିବାହରେ ଗୀତାଞ୍ଜଳିଙ୍କୁ ୫୧ ତୋଳା ସୁନା ଦେବା ପାଇଁ ଶ୍ୱଶୁର ଘର ଲୋକେ ଡିମାଣ୍ଡ୍‌ କରିଥିଲେ। ହେଲେ ଘରର ପରିସ୍ଥିତି ଠିକ୍‌ ନଥିବାରୁ ସେମାନଙ୍କ ଏହି ଡିମାଣ୍ଡ ଆମେ ପୂରଣ କରିପାରିନଥିଲୁ ବୋଲି ଗୀତାଞ୍ଜଳିଙ୍କ ପରିବାର ଲୋକ କହିଛନ୍ତି। ବିବାହ କିଛି ଦିନ ପରେ ଗୀତାଞ୍ଜଳିଙ୍କ ଶାଶୁ-ଶ୍ୱଶୁର ସୁନା ଗହଣା, କପଡ଼ା ଇତ୍ୟାଦିକୁ ନେଇ ତାଙ୍କୁ ଟାହି ଟାପରା କରିବା ଆରମ୍ଭ କରି ଦେଇଥିଲେ। ପରିସ୍ଥିତି ଖରାପ ଥିବା ସତ୍ତ୍ୱେ ଗୀତାଞ୍ଜଳିଙ୍କ ପରିବାର ଲୋକେ ୨୫ ତୋଳା ସୁନା ଦେଇଥିଲେ। ହେଲେ ଏଥିରେ ଶ୍ୱଶୁର ଘର ଲୋକେ ସନ୍ତୁଷ୍ଟ ହୋଇନଥିଲେ। ସୁନା ପାଇଁ ତାଙ୍କୁ ସବୁବେଳେ ମାଡ଼ ମରାଯାଉଥିଲା ବୋଲି ଅଭିଯୋଗ ହୋଇଛି। ଏଥିରେ ନାରାଜ ହୋଇ କିଛିଦିନ ପାଇଁ ଗୀତାଞ୍ଜଳି ବାପ ଘରକୁ ଚାଲି ଆସିଥିଲେ। ହେଲେ ପରିବାର ଲୋକେ ତାଙ୍କୁ ବୁଝାଇସୁଝାଇ ଶ୍ୱଶୁର ଘରକୁ ପଠାଇ ଦେଇଥିଲେ। ଗୀତାଞ୍ଜଳିଙ୍କୁ ତାଙ୍କ ସ୍ୱାମୀ, ଶାଶୁ-ଶ୍ୱଶୁର ଓ ନଣନ୍ଦ ମାଡ଼ ମାରିବା ସହ ତାଙ୍କୁ ବିଷ ଦେଇ ମାରି ଦେଇଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି।

ଝିଅର ମୃତ୍ୟୁ ପରେ ଶ୍ୱଶୁର ଘର ଅଗଣାରେ ଅନ୍ତିମ ସଂସ୍କାର କରାଇଲେ ବାପ ଘର ଲୋକ

ମୃତ୍ୟୁ ପରେ ବାପ ଘର ଲୋକେ କ୍ରୋଧାନ୍ୱିତ ହୋଇ ଗୀତାଞ୍ଜଳିଙ୍କ ଶବର ଅନ୍ତିମ ସଂସ୍କାର ତାଙ୍କ ଶ୍ୱଶୁର ଘର ଅଗଣାରେ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ, ଘଟଣାକୁ ନେଇ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

You might also like