ପୁଣି କାୟା ମେଲାଉଛି କରୋନା; ଏଇ ରାଜ୍ୟରେ ୬୦ ପ୍ରତିଶତ ମନ୍ତ୍ରୀ ସଂକ୍ରମିତ

ନୂଆଦିଲ୍ଲୀ: ପୁଣି କାୟା ମେଲାଇଲାଣି କରୋନା।  ମହାରାଷ୍ଟ୍ର, କେରଳ, ଛତିଶଗଡ଼, ପଞ୍ଜାବ ଓ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ଯେପରି ବଢ଼ିବାରେ ଲାଗିଛି ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି।  ଲଗାତର ୬ ଦିନ ହେବ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଗତକାଲି ଦେଶରେ ଆକ୍ଟିଭ୍ କେଶ୍ ସଂଖ୍ୟା ୧.୫ ଲକ୍ଷ ଅତିକ୍ରମ କରିଛି । ଏହାକୁ ମିଶାରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧.୧୦ କୋଟି ଛୁଇଁଛି । ତେବେ ଚିକିତ୍ସାଧୀନ ସଂକ୍ରମିତଙ୍କ ମଧ୍ୟରୁ ୭୪ ପ୍ରତିଶତ ମହାରାଷ୍ଟ୍ର ଓ କେରଳର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ସୋମବାର ଦିନ ମହାରାଷ୍ଟ୍ରରେ ୫,୨୧୦ ସଂକ୍ରମିତ ଚିହ୍ନଟ ହେଇିଥିବାବେଳେ ମୁମ୍ବାଇରେ ଗତକାଲି ୭୦୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂରର୍ଣ୍ଣ କଥା ହେଉଛି, ରାଜ୍ୟ ମନ୍ତ୍ରିମଣ୍ଡଳର ୬୦ ପ୍ରତିଶତ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କୋଭିଡ୍ କଟକଣା କଡ଼ାକଡ଼ି ଭାବେ ପାଳ କରିବାକୁ ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ମହାରାଷ୍ଟ୍ରରେ ସଂକ୍ରମଣ ବଢୁଥିବାରୁ ଗୁଜରାଟ ଓ ମଧ୍ୟପ୍ରଦେଶରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ମହାରାଷ୍ଟ୍ରରୁ ଆସୁଥିବା ସମସ୍ତ ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରିବାକୁ କୁହାଯାଇଛି । ସେପଟେ କର୍ଣ୍ଣାଟକରେ ବିବାହ ଭଳି ସାମାଜିକ କାର୍ଯ୍ୟକ୍ରମରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ ଲାଗି ମାର୍ଶଲ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ହଠାତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ସମୀକ୍ଷା କରିଛନ୍ତି।

ସୂଚନାଥାଉ କି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାର ୫୮୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୩ ହଜାର ୨୫୫ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୭୮ ଜଣ ପ୍ରାଣ ହରାଇଛନ୍ତି।

ଏଠି କହି ରଖିବୁ, ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୧୦ ଲକ୍ଷ ୧୬ ହଜାର ୪୩୪ ଜଣ ସଂକ୍ରମିତ ହୋଇଥିବାବେଳେ ୧ କୋଟି ୭ ଲକ୍ଷ ୧୨ ହଜାର ୬୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧ ଲକ୍ଷ ୫୬ ହଜାର ୪୬୩ ଜଣ ବର୍ତ୍ତମାନ ସୁଦ୍ଧା କରୋନାରେ ପ୍ରାଣ ହରାଇଛନ୍ତି। ଦେଶରେ ଏବେ କରୋନା ଆକ୍ଟିଭ କେସ ରହିଛି ୧ ଲକ୍ଷ ୪୭ ହଜାର ୩୦୬।

ଇତିମଧ୍ୟରେ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୧୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖଯୋଦ୍ଧାଙ୍କୁ ଭାକ୍ସିନ ଦିଆଯାଇ ସାରିଛି। ଭାକ୍ସିନେସନ ପରେ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ପାଖରେ ଗୁରୁତର ସାଇଟ ଇଫେକ୍ଟ ଦେଖା ଦେଇଥିଲା। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୨୬ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ସୂଚନାଥାଉ କି, ଶୁକ୍ରବାରଠୁ ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ଗାଇଡଲାଇନ୍ସକୁ ପାଳନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଏପରିକି ଏଠାରେ ଧାର୍ମିକ, ସାମାଜିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। 

 

You might also like