ଭାରତରେ କରୋନା ତାଣ୍ଡବ; ୧୪ ଦିନରେ ୫୦ ହଜାରରୁ ଅଧିକ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: କରାଳ ମହାମାରୀ ଭାରତରେ ଯେମିତି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ଶ୍ମଶାନରେ ଲିଭୁନି ଜୁଇ । ଉଜାଡି ଦେଲାଣି ଲକ୍ଷ ଲକ୍ଷ ପରିବାର । ମୃତ୍ୟୁ ସଂଖ୍ୟାରେ ଯେମିତି ଲଗାମ ଲାଗିପାରୁନି । ଗତ କିଛି ଦିନ ହେବ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ଲକ୍ଷ୍ୟ କରାଯାଉଥିଲେ ହେଁ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାରରେ ରହୁଛି । ଦେଶର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସାମ୍ନାକୁ ଆଣିଛି ମହାମାରୀ । ଏପରି ସ୍ଥିତିରେ ଟିକାକରଣ ଦ୍ୱାରା ହିଁ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ କହୁଥିଲେ ହେଁ, ଏ ଯାଏ ଯଥେଷ୍ଟ ଟିକା ଉପଲବ୍ଧ ହୋଇନାହିଁ ।

ଏକ ସମୀକ୍ଷାରୁ ଜଣାଯାଇଛି, ମେ’ର ପ୍ରଥମ ଦୁଇ ସପ୍ତାହ ସବୁଠାରୁ ଭୟଙ୍କର ହୋଇଛି ମହାମାରୀ । ଏହି ସମୟ ମଧ୍ୟରେ ସର୍ବାଧିକ ମୁଣ୍ଡ ନେଇଛି କରୋନା । ମେ’ ମାସର ପ୍ରଥମ ୧୪ ଦିନ ଭିତରେ ରେକର୍ଡ କରିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଏହି ସମୟ ମଧ୍ୟରେ ୫୦ ହଜାର ୧୨୭ ଜଣଙ୍କର ମୃତ୍ୟୁ ଘଟିଛି । ଯଦି ଏହି ହାର ଲାଗି ରୁହେ ତେବେ ଭାରତରେ ଗୋଟିଏ ମାସରେ କରୋନା ମୃତ୍ୟୁ ଏକ ଲକ୍ଷ ପାର କରିଯିବ । ପୂର୍ବରୁ ୪୬ ଦିନରେ ଏକ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ଥିଲା ।

ୱାର୍ଲଡୋମିଟର ଏବଂ  WHOର ଗଣନା ଅନୁଯାୟୀ, ଭାରତରେ କରୋନାର ପ୍ରଥମ କେସ୍‌ ୨୦୨୦ ଜାନୁଆରୀ ୩୦ ତାରିଖରେ ସାମ୍ନାକୁ ଆସିଥିଲା । ସେହିପରି ଦେଶରେ ପ୍ରଥମ ମୃତ୍ୟୁ ୨୦୨୦ ମାର୍ଚ୍ଚ ୧୨ ତାରିଖରେ ହୋଇଥିଲା । ଅଗଷ୍ଟ ୧୬ ତାରିଖ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ପାର କରିଥିଲା । ଅର୍ଥାତ ପ୍ରାୟ ସାଢେ ୫ ମାସ ବା ୧୬୫ ଦିନରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୫୦ ହଜାର ପାର କରିଥିଲା । ପରେ କରୋନାର ପ୍ରଭାବ ଅଧିକ ଭୟଙ୍କର ହୋଇଥିଲା ଏବଂ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ପ୍ରାୟ ୫୦ ହଜାରଙ୍କର ମୃତ୍ୟୁ ଘଟିଥିଲା । ୨୦୨୦ ଅକ୍ଟୋବର ୨ ତାରିଖରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ପାର କରିଥିଲା ।

ହେଲେ ଏ ଚଳିତବର୍ଷ ଜାନୁଆରୀ ୫ରେ କରୋନା ମୃତ୍ୟୁ ଦେଢଲକ୍ଷ ପାର କରି ଯାଇଥିଲା । ଏହା ପରେ କରୋନାର ପ୍ରଭାବ ସାମାନ୍ୟ କମିଥିବା ଲକ୍ଷ୍ୟ କରାଯାଇଥିଲା ଏବଂ ଏହି ସମୟରେ ମୃତକଙ୍କ ସଂଖ୍ୟା ଦେଢ ଲକ୍ଷରର ୨ ମାସ ହେବାକୁ ପ୍ରାୟ ୪ ମାସ ଲାଗିଥିଲା । ହେଲେ କରୋନାର ଦ୍ଵିତୀୟ ଲହର ସବୁ ସୀମା ପାର କରିଦେଲା । ଏଥର ୪୬ ଦିନରେ ଏକ ଲକ୍ଷ ରୋଗୀଙ୍କ ମୃତ୍ୟୁ ଘଟି ସାରିଲାଣି ।

 

You might also like