ଦେଶରେ ପ୍ରଥମ କରୋନା ଗୋଷ୍ଠୀ ସଂକ୍ରମଣ, ସୂଚନା ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଥିରୁଭନନ୍ତପୁରମ୍‌: ସାରା ଦେଶରେ କରୋନା ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏମିତି ଏକ ତଥ୍ୟ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। କେରଳର କିଛି ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପିନାରାୟି ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ରାଜଧାନୀ ଥିରୁଭନନ୍ତପୁରମ୍‌ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ପୁନ୍ଥୁରା ଓ ପୁଲ୍ଲୁଭିଲ୍ଲା ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ପୁନ୍ଥୁରାରେ ୫୦ଜଣଙ୍କ ପରୀକ୍ଷା କରିବା ପରେ ସେମାନଙ୍କ ମଧ୍ୟରୁ ୨୬ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ପୁଲ୍ଲୁଭିଲ୍ଲା ଅଞ୍ଚଳରେ ୫୭ଜଣଙ୍କ ମଧ୍ୟରୁ ୨୮ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଆକ୍ରାନ୍ତ ମାନେ କେଉଁଠାରୁ ଆକ୍ରାନ୍ତ ହେଉଛନ୍ତି ସେ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ।

ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଥିବା ମୁଖ୍ୟମନ୍ତ୍ରୀ ପିନାରାୟି କହିଛନ୍ତି।

ଅନ୍ୟପକ୍ଷରେ, କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ କଣ୍ଟାକ୍ଟସ୍‌ ଟ୍ରେସିଂ କରାଯାଉଛି। କେରଳରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ପାର୍‌ କରିଛି। ସେଥିମଧ୍ୟରୁ ୪,୯୯୫ଜଣ ସୁସ୍ଥ ହୋଇଥିବା ବେଳେ ୬,୦୩୩ଜଣ ଚିକିତ୍ସାଧୀନ ଅଛନ୍ତି। ୩୮ ଜଣଙ୍କ ମୃତ୍ୟୁ ଘଟିଛି।

You might also like