ଇସଲାମାବାଦ: ସମ୍ମାନ ବଞ୍ଚିଗଲା । ଆସ୍ଥା ଭୋଟରେ ବିଜୟୀ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପାକିସ୍ତାନ ସଂସଦରେ ବହୁମତ ପ୍ରମାଣିତ କଲେ ଇମ୍ରାନ୍ ଖାନ୍। ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ହୋଇଥିବା ଭୋଟିଂରେ ସେ ବିଜୟୀ ହୋଇଛନ୍ତି । ଭୋଟିଂରେ ଇମ୍ରାନ ଖାନଙ୍କ ସପକ୍ଷରେ ମୋଟ ୧୭୮ଟି ଭୋଟ ପଡିଛି। ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ୧୭୧ ସାଂସଦଙ୍କ ସମର୍ଥନ ଦରକାର ଥିବା ବେଳେ ଇମ୍ରାନଙ୍କ ସପକ୍ଷରେ ମୋଟ ୧୭୮ ସଦସ୍ୟ ଭୋଟ ପଡ଼ିଛି।

ଏହା ପୂର୍ବରୁ ବିରୋଧୀ ଦଳ ଭୋଟିଂ ସମୟରେ ସଂସଦରେ ହଙ୍ଗାମା କରିଥିଲେ । ଆସ୍ଥା ଭୋଟିଂ ପୂର୍ବରୁ ଇମ୍ରାନ ଖାନ୍ ନିଜ ମନ୍ତ୍ରୀମାନଙ୍କୁ ଶୃଙ୍ଖଳିତ ବ୍ୟବହାର କରିବା ସହ ଦଳର ସମସ୍ତ ନୀତିନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଆସ୍ଥା ଭୋଟିଂରେ ଆସିବାକୁ ଥିବା ଫଳାଫଳକୁ ସମେସ୍ତ ଯେପରି ସମର୍ଥନ କରିବେ ସେଥିପାଇଁ ଚେତାଇ  ଦେଇଥିଲେ । ସେହିପରି ହାରିଗଲେ ବିରୋଧୀ ଦଳ ଗାଦିରେ ବସିବାକୁ ପ୍ରସ୍ତୁତ ଥିଲେ ଇମ୍ରାନ୍ ଖାନ୍ ।

ପାକିସ୍ତାନର ସିନେଟ୍‌ ନିର୍ବାଚନରେ ଅର୍ଥମନ୍ତ୍ରୀ ଅବଦୁଲ ହାଫିଜ୍‌ ଶେଖଙ୍କ ପରାଜୟ ପରେ ଇମ୍ରାନ୍ ଖାନ ସରକାରଙ୍କୁ ସଂସଦରେ ଆସ୍ଥା ଭୋଟର ସାମ୍ନା କରିବାକୁ ପଡ଼ିଥିଲା । ଯାହାଫଳରେ ଇମ୍ରାନ ସରକାରଙ୍କୁ ସଂସଦରେ ବିଶ୍ୱାସ  ପ୍ରସ୍ତାବ ଉପସ୍ଥାପନ କରିବାକୁ ପଡିଥିଲା । ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶି ଆଜି ସଂସଦରେ ବିଶ୍ୱାସ ପ୍ରସ୍ତାବ  ଆଗତ କରିଥିଲେ । ତେବେ ପୂର୍ବରୁ ଇମ୍ରାନ ଖାନ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଥିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ।

ସୂଚନାଯୋଗ୍ୟ ପାକିସ୍ତାନ ଅର୍ଥମନ୍ତ୍ରୀ ଅବଦୁଲ ହଫିଜ୍ ସେଖ ସିନେଟ୍ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନିଙ୍କ ଠାରୁ ପରାଜିତ ହୋଇଥିଲେ। ଫଳରେ ୩ ବର୍ଷ ତଳେ କ୍ଷମତା ଦଖଲ କରିଥିବା ଇମ୍ରାନ୍ ସରକାରଙ୍କୁ ଶକ୍ତ ଝଟକା ଲାଗିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶୁକ୍ରବାର ଦଳ ଓ ମେଣ୍ଟ ସହଯୋଗରେ ନେତାଙ୍କ ସହ ବୈଠକ କରି ଫ୍ଲୋର ଟେଷ୍ଟ ଦବାକୁ ଘୋଷଣା କରିଥିଲେ।

Other Stories