ଇମ୍ରାନଙ୍କ ପିଟିଆଇକୁ ସର୍ବାଧିକ ଆସନ, ପ୍ରଥମ ପତ୍ନୀ କହିଲେ ‘ମୋ ପୁଅର ବାପା ହେବେ ପ୍ରଧାନମନ୍ତ୍ରୀ’
ଇସ୍ଲାମ୍ବାଦ୍: ପାକିସ୍ତାନରେ ନିର୍ବାଚନ ପରେ ଆଜି ଔପଚାରିକ ଭାବେ ଘୋଷିତ ହୋଇଛି ଫଳାଫଳ। ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ- ଏ- ଇନସାଫ୍କୁ ସର୍ବାଧିକ ଆସନ ମିଳିଥିବା ଆଜି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି। ପାକିସ୍ତାନ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ୨୭୨ ସଦସ୍ୟ ବିଶିଷ୍ଠ ଜାତୀୟ ଆସେମ୍ଲିରେ ଶେଷ ହୋଇଥିବା ୨୫୧ଟି ଆସନରୁ ପାକିସ୍ତାନ ତେହେରିକ-ଏ- ଇନସାଫ ସର୍ବାଧିକ ୧୧୦ଟି ଆସନରେ ବିଜୟୀ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ ୬୩ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ୪୨ଟି ଆସନରେ ବିଜୟୀ ହୋଇଛି। ତେବେ ୨୧ଟି ଆସନରେ ଏଯାଏଁ ଗଣନା ଶେଷ ହୋଇନଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି। ଇମ୍ରାନଙ୍କ ଦଳ ସର୍ବାଧିକ ଆସନ ହାସଲ କରିଥିଲେ ମଧ୍ୟ ମ୍ୟାଜିକ ନମ୍ବର ୧୩୭ ଛୁଇଁବା ପାଇଁ ତାଙ୍କୁ ସ୍ୱାଧୀନ ଓ ଅନ୍ୟ ଛୋଟ ଦଳଙ୍କ ସମର୍ଥନ ଉପରେ ନିର୍ଭର କରିବାକୁ ପିଡବ।
ସେପଟେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପାକିସ୍ତାନ ମୁସଲିମ ଲିଗ୍ ଏହି ଫଳାଫଳକୁ ପ୍ରତ୍ୟାଖାନ କରିଛି। ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଜନାଦେଶକୁ ହତ୍ୟା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।
ସେପଟେ ଇମ୍ରାନ୍ଙ୍କ ଏହି ସଫଳତା ନେଇ ତାଙ୍କୁ ଅଭିନନ୍ଦନ ଜଣାଇ ଟ୍ୱିଟ୍ କରିଛନ୍ତି ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥ୍ । ସେ ଲେଖିଛନ୍ତି ଯେ ୨୨ବର୍ଷର ଅପମାନ, ବାଧା, ବଳିଦାନ ଓ ସଂଘର୍ଷ ପରେ ତାଙ୍କ ପୁଅର ବାପା ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ୨୦୦୪ରେ ଜେମିମାଙ୍କ ଓ ଇମ୍ରାନ୍ଙ୍କ ବିବାହ ବିଚ୍ଛେଦ ହୋଇଥିଲା
22 years later, after humiliations, hurdles and sacrifices, my sons’ father is Pakistan’s next PM. It’s an incredible lesson in tenacity, belief & refusal to accept defeat. The challenge now is to remember why he entered politics in the 1st place. Congratulations @ImranKhanPTI
— Jemima Goldsmith (@Jemima_Khan) 26 July 2018