ରାମଦେବ ବାବାଙ୍କୁ ନୋଟିସ-‘ବୟାନ ପାଇଁ କ୍ଷମା ମାଗ ନଚେତ୍‌ ୧୦୦୦ କୋଟିର ମାମଲା’

ହରିଦ୍ୱାର: ଯୋଗଗୁରୁ ସ୍ୱାମୀ ରାମଦେବ ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି । ଡାକ୍ତରଙ୍କ ବିରୋଧରେ ବିବାଦିତ ବୟାନ ଦେବାକୁ ନେଇ ଏବେ ଆଇଏମଏ ଉତ୍ତରାଖଣ୍ଡ ଶାଖା ପତଞ୍ଜଳି ଯୋଗପୀଠ ମୁଖ୍ୟ ସ୍ୱାମୀ ରାମଦେବଙ୍କୁ ମାନହାନି ନୋଟିସ ପଠାଇଛନ୍ତି ।

ନୋଟିସରେ କୁହାଯାଇଛି, ବାବା ରାମଦେବ ନିଜ ବୟାନ ପାଇଁ ୧୫ ଦିନ ଭିତରେ କ୍ଷମା ପ୍ରାର୍ଥନା କରିବେ ନଚେତ୍‌ ଆଇଏମଏ ତାଙ୍କ ବିରୋଧରେ ୧୦୦୦ କୋଟିର ମାମଲା କରିବ । ଡାକ୍ତର ସଂଗଠନ ଦାବି କରିଛନ୍ତି, ରାମଦେବଙ୍କୁ ଏହି ବୟାନ ପାଇଁ ଲିଖିତ ଭାବେ ମାଫି ମାଗିବାକୁ ପଡ଼ିବ । ନଚେତ ଆଇନଗତ ପଦକ୍ଷେପ ନିଆଯିବ ।

ଆଇଏମଏ ବାବା ରାମଦେବଙ୍କୁ ନୋଟିସ ପଠାଇ କହିଛି, ରାମଦେବଙ୍କ ବୟାନ ସଂଗଠନ ସହ ଜଡିତ ଡାକ୍ତରଙ୍କ ପ୍ରତି ସାଧାରଣ ଲୋକଙ୍କ ମନରେ ଖରାପ ଧାରଣା ସୃଷ୍ଟି କରିଛି । ଏହି ନୋଟିସରେ ଏହାକୁ ଅପରାଧ ବୋଲି ଦର୍ଶାଇ ଦଣ୍ଡ ଏବଂ ଜରିମାନା ଦାବି କରାଯାଇଛି । ଆଇଏମଏ ଯୋଗଗୁରୁଙ୍କ ଚେତାବନୀ ଦେଇ କହିଛି, ପତ୍ର ମିଳିବାର ୧୫ ଦିନ ଭିତରେ ନିଜ ବୟାନ ପାଇଁ କ୍ଷମା ମାଗନ୍ତୁ । ସେତିକି ନୁହେଁ, ତାଙ୍କର ପ୍ରଥମ ଭିଡିଓ ଯେପରି ମିଡିଆ ଏବଂ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା, ଠିକ ସେହିପରି ବାବା ରାମଦେବଙ୍କ କ୍ଷମା ମାଗିବାର ଭିଡିଓ ମଧ୍ୟ ପ୍ରଚାରିତ କରନ୍ତୁ । ଏଥିସହିତ ଲିଖିତ ଭାବେ କ୍ଷମା ମାଗନ୍ତୁ । ନଚେତ ୧୦୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯିବ ।

ଆଇଏମଏ  ରାମଦେବଙ୍କ ପତଞ୍ଜଳି କମ୍ପାନୀ ଉତ୍ପାଦ ଶ୍ୱାସୀର କୋରୋନିଲ କିଟ୍‌କୁ ନେଇ ଆପତ୍ତି ଉଠାଇଥିଲା । ସଂଗଠନ ବାବା ରାମଦେବଙ୍କୁ କହିଥିଲା, ଏହି ସୂଚନା ମିଳିବାର ୭୬ ଘଣ୍ଟା ଭିତରେ କୋରୋନିଲ କିଟ ସହ ଜଡ଼ିତ ସମସ୍ତ ବିଜ୍ଞାପନ ହଟାଇ ନିଅନ୍ତୁ । ଏଥିରେ କୁହାଯାଇଥିଲା,ଏହା କୋଭିଡ-୧୯ ଭାକ୍ସିନ ଲାଗିବା ପରେ ଦେଖା ଦେଉଥିବା ସାଇଡ ଇଫେକ୍ଟ ପ୍ରଭାବରୁ ସୁରକ୍ଷା ଦେବ । ଏଥିସହିତ କରୋନା ମୁକ୍ତ କରିବା ପାଇଁ ଏହା ପ୍ରଭାବୀ ଔଷଧ ମଧ୍ୟ ଅଟେ । ଏହି ବିଜ୍ଞାପନକୁ ଆଇଏମଏ ବିରୋଧ କରିବା ସହ ଏହା ଭ୍ରମାତ୍ମକ ବିଜ୍ଞାପନ ପ୍ରଚାର, ପ୍ରସାର କରିବାର ଅଭିଯୋଗ ଆଣିଥିଲା ।

You might also like