ସୌରଭଙ୍କ ସଫଳତାର କାହାଣୀ

୮ ମାସ କେବଳ ମ୍ୟାଗି ଖାଇ ରହିଥିଲେ, ଏବେ ତିନୋଟି ଷ୍ଟାଟଅପ୍ କମ୍ପାନୀର ମାଲିକ

  • ୨୨ ବର୍ଷୀୟ ସୌରଭ ମୌର୍ଯ୍ୟ ବର୍ତ୍ତମାନ IIT BHUରେ ତୃତୀୟ ବର୍ଷର ଛାତ୍ର, ପ୍ରଥମ ବର୍ଷରେ ଥିବାବେଳେ ସେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ।
  • ବାପାଙ୍କ ଠାରୁ ଲୁଚାଇ ୫ ହଜାର ଟଙ୍କା ଦେଇଥିଲେ ମା’, ଆଉ ସେହି ଟଙ୍କାରେ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ କିଣିଥିଲେ ଏବଂ ସେଥିରେ IIT-JEE ଛାତ୍ରମାନଙ୍କ ପାଇଁ ଭିଡିଓ ତିଆରି କରୁଥିଲେ ।

ବାରାଣାସୀ : ଅଭାବ ଅନଟନ ଭିତରେ ସଫଳ ହେଲେ ଗରିବ ବାପାର ପୁଅ । ପିଲାବେଳେ ମୋବାଇଲ ଦୋକାନ କରିବା ପାଇଁ ଚାହୁଁଥିବା କୁନି ପୁଅ ଆଜି ବାପାମା’ଙ୍କ ପ୍ରେରଣା ପାଇ IIT BHUରେ ତୃତୀୟ ବର୍ଷରେ ପାଠ ପଢ଼ିବା ସହ ତିନୋଟି ଷ୍ଟାଟଅପ କମ୍ପାନୀ ଚଳାଉଛନ୍ତି । ସବୁ ପ୍ରତିକୂଳ ପରିସ୍ଥିତିକୁ ଆଡ଼େଇ  ବନାରସ ପୁଅ ସୌରଭ ଲେଖିଲେ ସଫଳତାର କାହାଣୀ। ଝୁପୁଡ଼ି ଘରେ ରହି ଗାଁ ସ୍କୁଲରେ ପାଠ ପଢ଼ୁଥିବା ପିଲାଟି ଯେ ଦିନେ କମ୍ପାନୀ ଖୋଲିବ କିଏ ଜାଣିଥିଲା। ଟ୍ୟୁସର କରି ତଥା ୮ ମାସ କେବଳ ମ୍ୟାଗି ଖାଇ କଠିନ ପରିଶ୍ରମ କରିଥିବା ସୌରଭଙ୍କ ପାଇଁ ଆଜି ପରିବାର ତଥା ପୂରା ବାରାଣାସୀ ଗର୍ବିତ।

ବାରାଣାସୀର ୨୨ ବର୍ଷୀୟ ସୌରଭ ମୌର୍ଯ୍ୟ। IIT BHUରେ ତୃତୀୟ ବର୍ଷ ଛାତ୍ର, ସମାନ୍ତାରାଳ ଭାବେ ତିନୋଟି ଷ୍ଟାଟଅପ୍ ଚଳାଉଛନ୍ତି। ଯାହାର ଟର୍ଣ୍ଣଓଭର ପାଖାପାଖି ୨୨ କୋଟି ଟଙ୍କାରୁ ଅଧିକ । ଏକ ଗରିବ ପରିବାରରେ ଜନ୍ମିତ ସୌରଭ ପିଲାବେଳୁ ବେଶ ଭଲ ପାଠ ପଢ଼ୁଥିଲେ। କିନ୍ତୁ ଟଙ୍କାପଇସା ଅଭାବରୁ ତାଙ୍କ ସ୍ୱପ୍ନ ମଧ୍ୟ ବଡ଼ ନଥିଲା। ବଡ଼ ହେଲେ ଏକ ମୋବାଇଲ ଦୋକାନ କରି, ମୋବାଇଲରେ ଗୀତ ଡାଉନଲୋଡ଼ କରିବା ପାଇଁ ଚାହୁଁଥିଲେ। କିନ୍ତୁ ତାଙ୍କ ବାପା ମା’ ଚାହୁଁଥିଲେ ପୁଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବେ । ଆଉ ସେଥିପାଇଁ ରାତି ଦିନ କଠିନ ପରିଶ୍ରମ କରି ସୌରଭଙ୍କୁ ପାଠ ପଢ଼ାଇଥିଲେ।

ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ସୌରଭଙ୍କ ପରିବାର।  ପ୍ରତିଦିନ ୪ କିଲୋମିଟର ଚାଲି ଚାଲି ସ୍କୁଲ ଯାଉଥିଲେ, ସିନା ପାଠପଢ଼ା ଛାଡ଼ିନଥିଲେ। ସମ୍ବଳ ଅଭାବରୁ ସାଧାରଣ ପିଲାଙ୍କ ପରି ସେ କୋଚିଂ ନେଉନଥିଲେ, ନିଜେ ପାଠ ପଢ଼ୁଥିଲେ। ନବମ ପଢ଼ୁଥିବା ସମୟରୁ ହିଁ ସେ ଟ୍ୟୁସନ ପଢ଼ାବା ସହ ନିଜେ ପାଠ ପଢ଼ୁଥିଲେ। ଗାଁର ଏକ ସରକାରୀ ସ୍କୁଲରୁ ପାଠପଢ଼ା ଆରମ୍ଭ କରିଥିବା ସୌରଭ କଠିନ ପରିଶ୍ରମ କରି ୨୦୧୮ରେ ଆଇଆଇଟି କ୍ଲିୟର କରିଥିଲେ । ତେବେ ସେତେବେଳ ସୁଦ୍ଧା ତାଙ୍କର ଜୀବନର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥିଲା। ବାପାମା’ଙ୍କ ପାଇଁ ପାଠ ପଢ଼ୁଥିବା ସୌରଭ ଆଇଆଇଟି ବିଏଚୟୁ ପହଞ୍ଚିବାରେ ସେଠାରେ ପିଲାଙ୍କୁ ଦେଖି ପ୍ରେରଣା ପାଇଥିଲେ। ସମସ୍ତେ ଏକ ନିର୍ଦ୍ଧାରିତ ଲକ୍ଷ୍ୟ ନେଇ ପାଠ ପଢ଼ୁଥିଲେ, ଯାହା ତାଙ୍କୁ ଅଧିକ ପ୍ରେରିତ କରିଥିଲା।

ଆଇଆଇଟି ପଢ଼ାଶେଷ ପରେ ମୋଟା ଅଙ୍କ ଦରମାରେ ଚାକିରି ମିଳିବା ଥୟ ଥିଲା। କିନ୍ତୁ ନିଜେ କିଛି କରିବାକୁ ଚାହିଁଥିଲେ ସୌରଭ। ଘରର ଅବସ୍ଥା ଭଲ ନଥିବାରୁ ଆଇଆଇଟି ପଢ଼ୁଥିଲେ ସିନା, ପାଖରେ ମୋବାଇଲ ଟିଏ ବି ନଥିଲା। ତେଣୁ ୨୦୧୮ରେ ପ୍ରଥମ ବର୍ଷ ପଢ଼ୁଥିବା ବେଳେ ତାଙ୍କ ମା’ ବାପାଙ୍କ ଠାରୁ ଲୁଚାଇ ୫ ହାଜର ଟଙ୍କା ଦେଇଥିଲେ। ସେଥିରେ ସେ ଏକ  ସେକେଣ୍ଡ ହ୍ୟାଣ୍ଡ ମୋବା‌ଇଲ କିଣି ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ। ଆଉ ଜେଇଇ ପିଲାଙ୍କ ପାଇଁ ଅନଲାଇନ୍ ଲେକ୍ଚର ରେକର୍ଡ଼ କରି ଅପଲୋଡ଼ ଆରମ୍ଭ କରିବା କଲେ। ଧୀରେ ଧୀରେ ଟଙ୍କା ଜମା କରି ଏକ ହ୍ୱାଇଟ୍ ବୋର୍ଡ଼ ଜମା କରି ପିଲାଙ୍କୁ ଜେଇଇ ପରୀକ୍ଷା ପାଇଁ ବିଭିନ୍ନ ଟିପ୍ସ ଦେବାରେ ଲାଗିଲେ।

ତେବେ ଏସବୁ ଭିତରେ ଜଣେ ଅନଲାଇନ୍ ଛାତ୍ର ତାଙ୍କୁ ଆଇଆଇଟି ପରୀକ୍ଷାରେ ଗାଇଡ଼୍ କରିବାକୁ ଅନୁରୋଧ କରିଥିଲେ। ତେବେ ଏଥିରେ ସୌରଭଙ୍କ ମୁଣ୍ଡକୁ ଏକ ବୁଦ୍ଧି  ଜୁଟିଲା , ଆଉ ଏକ ନୂଆ ଷ୍ଟାଟଅପ୍ ଆରମ୍ଭ କରିଥିଲେ। ମାତ୍ର ୯୯ ଟଙ୍କା ପ୍ୟାକେଜରେ ସେ ଆଇଆଇଟି ପାଇଁ ପିଲାଙ୍କୁ ଅନଲାଇନ୍ ଲେକ୍ଚର ଦେବାରେ ଲାଗିଲେ। ତେବେ ଏଥିରେ ହଷ୍ଟେଲର ଅନେକ ସାଙ୍ଗ ତାଙ୍କ ସହ ଯୋଡ଼ି ହୋଇଥିଲେ। ନିଜେ କିଛି ରୋଜଗାର କରିବା ସହ ସାଙ୍ଗସାଥୀ ମଧ୍ୟ ଏଥିରୁ ଲାଭାନ୍ୱିତ ହୋଇଥିଲେ।

ଗୋଟିଏ ଷ୍ଟାଟଅପ୍ ସଫଳ ହେବାପରେ ୨୦୧୯ରେ ସେ ଆଉ ଏକ କମ୍ପାନୀ ଖୋଲିଥିଲେ। ଏଥର ୧୫୦୦ ଟଙ୍କା ପ୍ୟାକେଜରେ ପିଲାଙ୍କୁ ଗାଇଡ଼୍ କରିବା ଆରମ୍ଭ କରିଥିଲେ। ଏହାପରେ ପିଲାଙ୍କୁ ହଷ୍ଟେଲ , ପିଜି  ଆଦି ଦେବା ପାଇଁ ରେକର୍ଡ଼ କନସଲଣ୍ଟାଣ୍ଟ ନାମକ ଆଉ ଏକ ଘରୋଇ କମ୍ପାନୀ ଖୋଲିଥିଲେ। ସେଠାରେ ପିଲାଙ୍କୁ ଗାଇଡ଼ କରିବା ସହ ଖାଇବା ରହିବା ବ୍ୟବସ୍ଥାର ଦେଖାରଖା କରାଯାଏ। ବର୍ତ୍ତମାନ ବାରାଣାସୀରେ ସେ ତିନୋଟି ବ୍ରାଞ୍ଚ ଖୋଲିଛନ୍ତି । ମାତ୍ର ୩ ବର୍ଷ ଷ୍ଟାଟଅପରେ ଏବେ ୨୨ କୋଟି ଟଙ୍କା ବ୍ୟବସାୟ କରିପାରିଛନ୍ତି। ଅଳ୍ପ ବୟସରୁ ଟିକିଏ ଭିନ୍ନ ଚିନ୍ତା କରି ବାପାମା’ଙ୍କ ସ୍ୱପ୍ନକୁ ସାକାର କରିବା ସହ ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୌରଭ।

ଆହୁରି ପଢନ୍ତୁ : ଜନ୍ମ ହେବା ପରେ ଜୀଅନ୍ତା ମାଟିରେ ପୋତି ଦେଇଥିଲେ, ହେଲେ ଏବେ….

You might also like