ଛାତ୍ରଙ୍କ କମାଲ୍‌: ସହରବାସୀଙ୍କ ପାଇଁ ତିଆରି କଲେ ତିନି ଚକିଆ ଇ-ଗାଡି ‘ଦେଶ୍‌ଲା’

କୋଲକାତା:ପରିବେଶ ସୁରକ୍ଷା ପାଇଁ ଛାତ୍ରଙ୍କ ସଫଳ ପ୍ରୟାସ। ତିଆରି କଲେ ପ୍ରଦୂଷଣ ରହିତ ଇ-ଗାଡ଼ି । ଖଡଗପୁର ଆଇଆଇଟିର ୫୦ ଜଣ ଛାତ୍ର ମିଶି ତିଆରି କରିଛନ୍ତି ଏହି ଅଭିନବ ପରିବେଶ ଉପଯୋଗୀ ଯାନ । ଗାଡ଼ିର ନାମ ‘ଦେଶଲା’। ବଜାରେ ଏବେ ଚାଲୁଥିବା ତିନି ଚକିଆ ଅଟୋ ଏବଂ ହାଇ ମେଣ୍ଟନାନ୍ସ ଇ-ରିକ୍ସାକୁ ଏହି ଇ-ଗାଡି ଚ୍ୟାଲେଞ୍ଜ ଦେବ ବୋଲି କହିଛନ୍ତି  ଛାତ୍ରମାନେ।

ଆଇଆଇଟି ଖଡ଼ଗପୁର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ବିକ୍ରାନ୍ତ ରଚେଲା ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି। ଏକ ଶକ୍ତିଶାଳୀ ମୋଟର, ଲିଥିୟମ-ଆୟନ ବ୍ୟାଟେରୀ ସହାୟତାରେ ତିଆରି କରାଯାଇଛି ଏହି ଗାଡି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶଲା ୬-୭ ବର୍ଷ ପର୍ଯ୍ୟନ୍ତ ବିନା ମରାମତିରେ କାମ କରିପାରିବ। ସେତିକି ନୁହେଁ, ମଜବୁତ୍‌ ଫ୍ରେମ ସହ ଅଧିକ ଭାର ପରିବହନ କ୍ଷମତା ବି ରହିଛି ଏହି ଗାଡ଼ିର। ଯାତ୍ରା ମଧ୍ୟ ବେଶ ଆରାମଦାୟକ। ଏହି ଗାଡ଼ି ବେଗ ଘଣ୍ଟାପ୍ରତି ୫୦ କିମି । ସହରରେ ଯାତ୍ରୀଙ୍କ ଯାତାୟାତକୁ ସହଜ କରିବା ପାଇଁ ଏହି ଗାଡ଼ି ତିଆରି କରାଯାଇଛି ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି।

 

ସବୁଠାରୁ ବଡ଼ କଥା ହେଲା, ଏହି ଗାଡ଼ି ଖରାପ ସଡ଼କରେ ବିନା ଧକ୍‌ଚକ୍‌ରେ ଚାଲିପାରିବ ଏବଂ ଏହାର ବ୍ୟାଟେରୀକୁ ଘରେ ଚାର୍ଜ କରାଯାଇ ପାରିବ। କେବେ ଏହି ଗାଡ଼ି ମାର୍କେଟକୁ ଆସିବ ଦେଖିବାକୁ ବାକି ରହିଲା।

 

You might also like