• translate
Satyendu Shekher Mishra

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଦୋହଲାଇ ଦେବାପରେ ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା । ସେପ୍ଟେମ୍ବର-ଅକ୍ଟୋବର ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ଆଇଆଇଟି କାନପୁରର ଏକ ରିପୋର୍ଟ । ଯେଉଁଥିରେ ଅକ୍ଟୋବର ବେଳକୁ ତୃତୀୟ ଲହର ପିକ୍‌ରେ ପହଞ୍ଚିବ ଏବଂ ଭାଇରସ୍ ମ୍ୟୁଟେସେନ୍ ହେଲେ ଏହା ସେପ୍ଟେମ୍ବର ବେଳକୁ ଆସିବାର ମଧ୍ୟ ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ ଏହାର ପ୍ରଭାବ ଦ୍ୱିତୀୟ ଲହର ଠାରୁ ଅଧିକ ରହିବ ବୋଲି ଆକଳନ କରଯାଇଛି ।

ଘାତକ ହେଲା କରୋନାର ପ୍ରଥମ ଲହର । ଦ୍ୱିତୀୟ ଲହରରେ ତାଣ୍ଡବ ରଚିଲା ମହାମାରୀ । ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ କଣ ରହିବ ତାର ପ୍ରଭାବ ? ଆସନ୍ତା ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିପାରେ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଆଶଙ୍କା ପ୍ରକାଶ କରିଥିଲେ । ଏବେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆସିଛି ଆଇଆଇଟି କାନପୁରର ଏକ ରିପୋର୍ଟ ।

ଏଥିରେ କୁହାଯାଇଛି ସଂକ୍ରମଣ କମୁଥିବାରୁ ଜୁଲାଇ ୧୫ ବେଳକୁ ସାରା ଦେଶ ସଂପୂର୍ଣ୍ଣ ଭାବେ ଅନ୍‌ଲକ୍‌ ହୋଇଯିବାର ସମ୍ଭାବନା ରହିଛି । ତାକୁ ଆଖି ଆଗରେ ରଖି ତୃତୀୟ ଲହରର ୩ଟି ସମ୍ଭାବ୍ୟ ସ୍ଥିତି ଦର୍ଶାଇଛି ଆଇଆଇଟି କାନପୁର ।

ସମ୍ଭାବ୍ୟ ସ୍ଥିତି ୧: ଅକ୍ଟୋବରରେ ତୃତୀୟ ଲହର ପିକ୍‌ରେ ପହଞ୍ଚିବ କିନ୍ତୁ ଦ୍ୱିତୀୟ ଲହର ତୁଳନାରେ ପ୍ରଭାବ କମ୍ ରହିବ ।
ସମ୍ଭାବ୍ୟ ସ୍ଥିତି ୨: ଯଦି ଭାଇରସ୍ ମ୍ୟୁଟେସନ୍ ହୁଏ, ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ଅଧିକ ପ୍ରଭାବୀ ହେବ ଏବଂ ଏହା ସେପ୍ଟେମ୍ବର ବେଳକୁ ଆସିଯିବ ।
ସମ୍ଭାବ୍ୟ ସ୍ଥିତି ୩: ଯଦି କଡ଼ାକଡ଼ି ଭାବେ ସବୁ କୋଭିଡ ନିୟମ୍ ପାଳନ କରାଯାଏ, ତେବେ ତୃତୀୟ ଲହର ପିକ୍ ସାମାନ୍ୟ ବିଳମ୍ବରେ ଅର୍ଥାତ୍‌ ଅକ୍ଟୋବର ଶେଷ ବେଳକୁ ଆସିପାରେ । ଏ କ୍ଷେତ୍ରରେ ଦ୍ୱିତୀୟ ଲହର ଅପେକ୍ଷା ପ୍ରଭାବ କମ୍ ରହିବ ।

ଅନ୍ୟପଟେ ଟିକାକରଣ, ସଂକ୍ରମଣ ଚେନ୍ ଭାଙ୍ଗିବାରେ ସହାୟକା ହୋଇଥାଏ, ତେବେ ଏହି ମଡେଲ୍‌ରେ ଟିକାକରଣର ପ୍ରଭାବକୁ ସାମିଲ କରାଯାଇନାହିଁ । ପରବର୍ତ୍ତୀ ମଡେଲ୍‌ରେ ଟିକାକରଣ ଓ ସଂଶୋଧିତ ତଥ୍ୟକୁ ସାମିଲ କରାଯିବ ।

ସେପଟେ ତୃତୀୟ ଲହରର ମୁକାବିଲା ଲାଗି ଏବେଠୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରିଛନ୍ତି । ସେପଟେ ରାଜ୍ୟରେ କ୍ୟାମ୍ପେନ୍ ମୋଡ୍‌ରେ ଚାଲିଛି ଟିକାକରଣ । ଗତକାଲି ଗୋଟିଏ ଦିନରେ ୩ଲକ୍ଷ ୩୨ ହଜାର ନାଗରିକଙ୍କୁ ଦିଆଯାଇଥିଲା ଟିକା । ଆଜି ବି ବିଭିନ୍ନ ସ୍ଥାନରେ ସୁରୁଖୁରୁରେ ଟିକାକରଣ ଚାଲିଥିବା ବେଳେ ଟିକା ନେବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ନୂଆପଡ଼ା ଜିଲ୍ଲା କୋମନା ପୁରୁଣା ବ୍ଲକ୍ ଅଫିସ୍ ଟିକାକରଣ କେନ୍ଦ୍ର ବାହାରେ ଓ ଭିତରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏମିତିକି କିଛି ଲୋକ ଟିକାକରଣ କକ୍ଷକୁ ଧସେଇ ପଶିଥିଲେ । ସେପଟେ ବିଭିନ୍ନ ଉପାନ୍ତ ଅଂଚଳରେ ଟିକା ନେବାକୁ ଲୋକେ ଭୟ କରୁଥିବାରୁ ପ୍ରଶାସନର ଚିନ୍ତା ବଢିଛି । ତେଣେ ଟିକାକରଣ ନେଇ ସଚେତନ କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ଅଭିନବ ପଦକ୍ଷେପ ନେଇଛି । ଜିଲ୍ଲାର ସମସ୍ତ ଦୋକାନୀ ଓ ସେଠାରେ କାମ କରୁଥିବା ଷ୍ଟାଫ୍‌ମାନେ ଟିକା ନେବେ ଆଉ ଭ୍ୟାକ୍ସିନେସନ ସାର୍ଟିଫିକେଟ୍ ଦୋକାନ ବାହାରେ ଝୁଲାଇବେ । ଜୁଲାଇ ୧ ତାରିଖରୁ ଏନ୍‌ଫୋର୍ସମେଣ୍ଟ ଟିମ୍ ଏହାର ଯଂଚ କରିବେ । ସାର୍ଟିଫିକେଟ୍ ନଝୁଲାଇ ଦୋକାନ ଖୋଲିଥିଲେ ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି । ସେପଟେ ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପରିବାର କାଲ୍ୟାଣ ନିର୍ଦ୍ଦେଶକ ।

Other Stories