କରୋନା କଟକଣା ସଠିକ୍‌ ଭାବରେ ମାନିଲେ ଆସିବ ନାହିଁ ତୃତୀୟ ଲହର?

ଲକଡାଉନ୍‌ ସତ୍ତ୍ୱେ ଦେଶରେ ଥମୁନି କରୋନା ସଂକ୍ରମଣ

  • ଲକଡାଉନ୍‌ ସତ୍ତ୍ୱେ ଦେଶରେ ଥମୁନି କରୋନା ସଂକ୍ରମଣ
  • ଦିନକରେ ୪ ଲକ୍ଷ ୧୪ ହଜାର ପଜିଟିଭ୍, ୩,୯୧୫ ମୃତ
  • ଓଡ଼ିଶା ସମେତ ୯ ରାଜ୍ୟରେ ସ୍ଥିତି ସାଂଘାତିକ
  • ତୃତୀୟ ଲହର ନେଇ ମୁଖ୍ୟ ବିଜ୍ଞାନ ପରାମର୍ଶଦାତାଙ୍କ ମତ
  • ନିୟମ ମାନିଲେ ସବୁ ଅଞ୍ଚଳକୁ ପ୍ରଭାବିତ କରିନପାରେ କରୋନା

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟ ତାଲାବନ୍ଦ ସ୍ଥିତିରେ, ନହେଲେ ଅନ୍ୟ କଟକଣା ଭିତରେ। ତଥାପି ଦୁର୍ବଳ ହେବାର ନାଁ ଧରୁନି କରୋନା ସୁନାମୀ। ଜାରି ରହିଛି ୪ଲକ୍ଷ ପାର୍ ଦୈନିକ ସଂକ୍ରମଣର ଟ୍ରେଣ୍ଡ୍। ଏପଟେ ଦୈନିକ ମୃତ୍ୟୁ ସଂଖ୍ୟା ବି ୪ ହଜାର ମୁହାଁ ରହିଛି। ଏଭଳି ସ୍ଥିତିରେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ସୂଚାଉଛି, ଦ୍ୱିତୀୟ ଲହର ପ୍ରାରମ୍ଭରେ ସଂଗୀନ ସ୍ଥିତିରେ ଥିବା ରାଜ୍ୟ ଗୁଡ଼ିକ ଏବେ ପ୍ଲାଟୁ ସ୍ଥିତିକୁ ଯାଉଥିବା ବେଳେ, ଓଡ଼ିଶା ସମେତ କିଛି ଅନ୍ୟ ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି।

ଦେଶରେ କରୋନା ଦୈନିକ ସଂକ୍ରମଣର ପୁଣି ବଡ଼ ରେକର୍ଡ ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ ଲକ୍ଷ ୧୪ ହଜାର ୧୮୮ ସଂକ୍ରମିତ। ଏଥିସହ ୩ ହଜାର ୯୧୫ ଜଣଙ୍କ ଜୀବନ ନେଇଛି ଘାତକ ଭୂତାଣୁ। କେନ୍ଦ୍ରର ସୂଚନା ଅନୁସାରେ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟରେ ସଂକ୍ରମଣ ପ୍ଲାଟୁ ସ୍ଥିତିକୁ ଆସୁଥିବା ବେଳେ, ଆଉ ୯ଟି ରାଜ୍ୟରେ ଏହା ବଢ଼ି ବଢ଼ି ଚାଲିଛି।

ଚିନ୍ତାଜନକ ବିଷୟ ହେଉଛି, ଏହି ରାଜ୍ୟ ତାଲିକାରେ ଓଡ଼ିଶା ବି ଅଛି। ଓଡ଼ିଶା ସହ କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ହରିୟାଣା ଓ ଉତ୍ତରାଖଣ୍ଡରେ କୋଭିଡ୍ ମାମଲା ବଢ଼ୁଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ଆରତୀ ଆହୁଜା। ଏଥିସହ ୧୨ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ଅଛନ୍ତି ଏବଂ ଓଡ଼ିଶାର ଖୋର୍ଦ୍ଧା ସମେତ ବିଭିନ୍ନ ରାଜ୍ୟର ଏକାଧିକ ଜିଲ୍ଲାରେ ଗତ ୨ ସପ୍ତାହ ହେଲା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି।

ସେପଟେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ କହିଛନ୍ତି, କଟକଣା କଡ଼ାକଡ଼ି ହେଲେ ଦେଶର ସବୁ ସ୍ଥାନରେ କିମ୍ବା କୌଣସି ବି ସ୍ଥାନରେ କରୋନା ତୃତୀୟ ଲହରି ଆସିନପାରେ। ସେପଟେ ସଂକ୍ରମଣ ସୁନାମୀରେ ଭଟ୍ଟା ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଲକଡାଉନ୍‌ ନେଇ କୌଣସି ନିଷ୍ପତ୍ତି ହୋଇନଥିଲେ ବି, ଅଧିକାଂଶ ରାଜ୍ୟରେ ସଂପୂର୍ଣ୍ଣ ଓ ଆଶିକ ଲକଡାଉନ୍‌ ଓ ନାଇଟ୍‌କର୍ଫ୍ୟୁ ଭଳି କଟକଣା ଲାଗୁ ହୋଇସାରିଲାଣି।

ଓଡ଼ିଶାରେ ୧୪ ଦିନିଆ ଲକଡାଉନ୍‌ ବଳବତ୍ତର ଥିବା ବେଳେ, ସଂକ୍ରମଣ ବହୁଳ ମହାରାଷ୍ଟ୍ରରେ ମେ ୧୫ ଓ ଦିଲ୍ଲୀରେ ମେ ୧୦ ଯାଏଁ ଲକଡାଉନ୍‌ ଅବଧି ବଢ଼ିଛି। ରାଜସ୍ଥାନରେ ମେ ୧୦ରୁ ୨୪, କେରଳରେ ମେ ୮ରୁ ୧୬, ହିମାଚଳ ପ୍ରଦେଶରେ ଆଜିଠୁ ମେ ୧୬ ଯାଏଁ, ବିହାରରେ ମେ ୧୫ ଯାଏଁ, କର୍ଣ୍ଣାଟକରେ ମେ ୧୨ ଯାଏଁ, ଝାଡ଼ଖଣ୍ଡରେ ମେ ୧୩ ଯାଏଁ ଏବଂ ହରିୟାଣାରେ ମେ ୩ରୁ ୭ ଦିନ ପାଇଁ ଜାରି ହୋଇଛି ତାଲାବନ୍ଦ କଟକଣା। ମଧ୍ୟପ୍ରଦେଶରେ ମେ ୧୫ ଯାଏଁ କର୍ଫ୍ୟୁ ଅବଧିକୁ ବଢ଼ାଇ ଦିଆଯାଇଛି।

ଉତ୍ତରପ୍ରଦେଶରେ ମେ ୧୦ ଯାଏଁ ସପ୍ତାହାନ୍ତ ଲକଡାଉନ୍‌ ଘୋଷଣା କରିଛନ୍ତି ଯୋଗୀ ସରକାର ଛତିଶଗଡ଼ରେ ମେ ୧୫ ଯାଏଁ ନିଜ ଜିଲ୍ଲାକୁ ଲକଡାଉନ୍‌ କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ମିଳିଛି। ଗୁଜରାଟରେ ୨୯ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁଛି। ପଞ୍ଜାବରେ ମଧ୍ୟ ସପ୍ତାହାନ୍ତ ଲକଡାଉନ ଓ ନାଇଟ କର୍ଫ୍ୟୁ ୧୫ ଯାଏଁ ବଢ଼ାଯାଇଛି। ଲକଡାଉନ୍‌ କଟକଣା ହିଁ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ସହ ଚିକିତ୍ସା ବ୍ୟବସ୍ଥା ଉପରୁ ଚାପ କମାଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

You might also like