ବାତିଲ୍‌ ହେଲା ICSE ଦଶମ ଶ୍ରେଣୀ ପରୀକ୍ଷା

  • CBSE ପରେ ବାତିଲ୍‌ ହେଲା ICSE ଦଶମ ଶ୍ରେଣୀ ପରୀକ୍ଷା
  • ICSE ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍‌
  • ଏପ୍ରିଲ ୧୬ରେ ICSE ଦଶମ ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ହୋଇଥିଲା
  • ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
  • ସେହିପରି ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହୋଇଛନ୍ତି

ନୂଆଦିଲ୍ଲୀ: ସିବିଏସ୍ଇ ପରେ ଦଶମ ପରୀକ୍ଷା ବାତିଲ୍‌ କଲା ICSE। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି CISCE(Council for the Indian School Certificate Examinations) ICSE(Indian School Certificate Examinations) ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ନେଇଛି।

ଏପ୍ରିଲ ୧୬ରେ ICSE ଦଶମ ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ନିଷ୍ପତ୍ତି ବଦଳାଇ ପରୀକ୍ଷାକୁ ବାତିଲ୍‌ କରିଛି CISCE। ମାତ୍ର ISC ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ବି କାଏମ ରହିଛି।

ସୂଚନାଥାଉ କି, ଚଳିତ ବର୍ଷ CBSE (Central Board of Secondary Education) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍‌ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଏପ୍ରିଲ ୧୪ରେ ଟ୍ୱିଟ୍‌ ଯୋଗେ ସୂଚନା ଦେଇଥିଲେ। ସେହିପରି CBSE ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି।

ଅନ୍ୟପକ୍ଷେ, ଯୁଗ୍ମ ପ୍ରବେଶିକା ପରୀକ୍ଷା JEE (ମେନ୍) ସ୍ଥଗିତ ରଖାଯାଇଛି। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି( NTA)  JEE (ମେନ୍) ପରୀକ୍ଷାକୁ ସ୍ଥଗିତ ରଖିଛି। ନୂଆ ତାରିଖ ଘୋଷଣାର ୧୫ ଦିନ ପୂର୍ବରୁ ଜଣାଇ ଦିଆଯିିବ ବୋଲି ଏନ୍‌ଟିଏ ବିଜ୍ଞପ୍ତି ଜରିଆରେ କୁହାଯାଇଛି।

ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧,୭୬୧ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like