ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ । କରୋନାର ଦ୍ୱିତୀୟ ଲହରୀ ଗର୍ଭବତୀ ମହିଳା ଓ ନିକଟରେ ମା’ ହୋଇଥିବା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଇଛି । ଗମ୍ଭୀର ଲକ୍ଷଣ ଥିବା ମାମଲା ଓ ମୃତ୍ୟୁ ହାର ମଧ୍ୟ କରୋନାର ପ୍ରଥମ ଲହରୀ ତୁଳାନରେ ଦ୍ୱିତୀୟ ଲହରୀରେ ଅଧିକ ରହିଛି । ଇଣ୍ଡିିଆନ୍ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚର ଏକ ଅଧ୍ୟୟନରୁ ଏକଥା ଜଣାପଡ଼ିଛି ।

ଆଇସିଏମଆର୍ ଷ୍ଟଡିରେ ଗର୍ଭବତୀ ମହିଳା ଓ ପିଲାଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ମାମଲାରେ ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀ ସମୟର ତୁଳନା କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ଲକ୍ଷଣ ଥିବା ମାମଲା ଅଧିକ ଚିହ୍ନଟ ହୋଇଥିଲା । ଲକ୍ଷଣ ସହିତ ୨୮.୭ ପ୍ରତିଶତ ଗର୍ଭବତୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ପ୍ରଥମ ଲହରୀରେ ୧୪.୨ ପ୍ରତିଶତ ଥିଲା ଏହି ସଂଖ୍ୟା । ଦ୍ୱିତୀୟ ଲହରୀରେ ମୃତ୍ୟୁ ହାତ ୫.୭ ପ୍ରତିଶତ ଥିବାବେଳେ ପ୍ରଥମ ଲହରୀରେ ମୃତ୍ୟୁ ହାର ଥିଲା ୦.୭ ପ୍ରତିଶତ । ମୋଟ୍ ୧୫୩୦ ଗର୍ଭବତୀ ଓ ପିଲା ଜନ୍ମ ଦେଇଥିବା ମହିଳାଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ପ୍ରଥମ ଲହରୀର ୧୧୪୩ ଜଣ ଓ ଦ୍ୱିତୀୟ ଲହରୀର ୩୮୭ ଜଣଙ୍କୁ ଅଧ୍ୟୟନରେ ସାମିଲ କରାଯାଇଥିଲା ।

ପ୍ରଥମ ଓ ଦ୍ୱିତୀୟ ଲହରୀରେ ମୋଟ୍ ମୃତ୍ୟୁହାର ଦୁଇ ପ୍ରତିଶତ ଥିଲା, ଯେଉଁଥିଲେ ଅଧିକାଂଶ କୋଭିଡ୍ ନିମୋନିଆ ଓ ନିଶ୍ୱାସ ପ୍ରଶ୍ୱାସ ଆଦି ସମସ୍ୟାରେ ସମ୍ମୁଖୀନ ହେଉଥିବା ପରି ମାମଲା ସାମିଲ ରହିଥିଲା । ଷ୍ଟଡି ଅନୁସାରେ ଏହି ମହିଳା ମାନଙ୍କୁ ପାଇଁ ଟିକାକରଣ ନିହାରି ଜରୁରୀ । ଭାରତରେ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି, କିନ୍ତୁ ଏବେ ସୁଦ୍ଧା ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇ ନାହିଁ । ତେବେ ଏହି ପ୍ରସଙ୍ଗରେ ସରକାର ଏବେ ମନ୍ଥନ ଚଳାଇଛନ୍ତି ।

Other Stories