ଆଉ ହସ୍ପିଟାଲରେ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବନି : ଘରେ କରିପାରିବେ କରୋନା ପରୀକ୍ଷଣ

ଆଉ ଏକ ଟେଷ୍ଟିଂ କିଟକୁ ମଞ୍ଜରୀ ପ୍ରଦାନ କଲା ଆଇସିଏମଆର

ଘରେ କରିପାରିବେ କରୋନା ଟେଷ୍ଟ । ଆଉ ହସ୍ପିଟାଲରେ ଯାଇ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆଇସିଏମଆର PanBio ନାମକ କରୋନା ଟେଷ୍ଟିଂ କିଟକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା ଏକ ରାପିଡ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ।

କରୋନାର ସାମାନ୍ୟ ଲକ୍ଷଣ ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଏହି ଟେଷ୍ଟିଂ କିଟର ବ୍ୟବହାର କରିପାରିବେ । ଆଇସିଏମଆର କରୋନା ପାଇଁ ଘରେ ବ୍ୟବହାର କରି ହେଉଥିବା ଟେଷ୍ଟିଂ କିଟକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଏବେ କରୋନର ପରୀକ୍ଷଣ ଆହୁରି ସହଜ ହେବ ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ ଭାରତୀୟ ଆୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) କୋଭିସେଲ୍ଫ ହୋମ ଟେଷ୍ଟିଂ କିଟକୁ ମଞ୍ଜୁରୀ ପ୍ରଦାନ କରିଥିଲା । କୋଭିସେଲ୍ଫ କରୋନା କିଟ୍ ଜରିଆରେ ଘରେ ବସି ସଂକ୍ରମଣର ଯାଂଚ ହୋଇପାରିବ । ସେହି ଟେଷ୍ଟିଂ କିଟର ମୂଲ୍ୟ ୨୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା । ମାତ୍ର ୩ ମିନିଟରେ ଏହି ଟେଷ୍ଟ ହେଉଥିବା ବେଳେ ମାତ୍ର ୧୫ ମିନିଟରେ ରିପୋର୍ଟ ଜଣାପଡ଼ି ଯାଉଥିଲା ।

ବର୍ତ୍ତମାନ  କରୋନା ଯାଂଚ ପାଇଁ ଆରଟିପିସିଆର ଓ ଆଣ୍ଟିଜେନ୍ ଟେଷ୍ଟ ଉପରେ ସମସ୍ତେ ନିର୍ଭରଶୀଳ । ଆଣ୍ଟିଜେନ୍ ରିପୋର୍ଟ ତୁରନ୍ତ ମିଳିଯାଉଥିବା ବେଳେ ଆରଟିପିସିଆର ରିପୋର୍ଟ  ପାଇଁ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । କିନ୍ତୁ ବର୍ତ୍ତମାନ କରୋନା ଟେଷ୍ଟିଂ ପାଇଁ ଘରେ ବସି କରି ହେଉଥିବା ଟେଷ୍ଟିଂ କିଟକୁ ମଞ୍ଜୁରୀ ମିଳିଛି ।

ଏହି ଟେଷ୍ଟିଂ କିଟ୍ ଦ୍ୱାରା କରୋନା ପରୀକ୍ଷଣ ତୀବ୍ର ହେବା ସହ ଲୋକେ ଘରେ ରହି ନିଜର କରୋନା ଯାଂଚ କରାଇ ପାରିବେ । ଅନ୍ୟପଟେ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ୍ ଆସିଥିବା ଲୋକଙ୍କୁ ଆଉ ଆରଟିପିସିଆର ଟେଷ୍ଟ କରାଇବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ କହିଛି ଆଇସିଏମଆର । ଏହା ପୂର୍ବରୁ ଆଣ୍ଟିଜେନ ପରେ ଆରଟିପିସିଆର ଟେଷ୍ଟ୍ କରାଉଥିଲେ ଲୋକେ ।

You might also like