ସ୍କୁଲ୍‌ରେ ପଢ଼ାଯିବ ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ

ଜୟପୁର: ଏଣିକି ସ୍କୁଲ୍‌ରେ ଛାତ୍ରୀଛାତ୍ରୀମାନେ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦରଙ୍କ ବୀରତ୍ଵର କାହାଣୀ ପଢ଼ିବେ। ରାଜସ୍ଥାନର ସ୍କୁଲ୍‌ ପିଲାମାନଙ୍କ ପାଠ୍ୟ ପୁସ୍ତକରେ ଅଭିନନ୍ଦନ ବର୍ତମାନଙ୍କ ସଫଳତାର କାହାଣୀ ସ୍ଥାନ ପାଇବ। ଏନେଇ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସ୍ରା ଏକ ପ୍ରସ୍ତାବ ଆଗତ କରିଛନ୍ତି।

ପାଇଲଟ୍‌ ଶିକ୍ଷାକୁ ଅଗ୍ରାଧିକାର ଦେଇ ଅଭିନନ୍ଦନଙ୍କ ସାହାସିକତାର କାହାଣୀ ସମ୍ମାନର ସହିତ ରାଜସ୍ଥାନର ସ୍କୁଲ୍‌ ସିଲାବସ୍‌ରେ ସ୍ଥାନ ପାଇବ ବୋଲି ଶିକ୍ଷାମନ୍ତ୍ରୀ ସୋମବାର ଟ୍ୱିଟ୍‌ କରି ଜଣାଇଛନ୍ତି। ସେହିପରି ଏକ ଫେସବୁକ୍‌ରେ #AbhinandanDiwas ଲେଖି ସେ ଏହି କଥାକୁ ପୋଷ୍ଟ୍‌ କରି କହିଛନ୍ତି। କିନ୍ତୁ ଅଭିନନ୍ଦନଙ୍କ କାହାଣୀ କେଉଁ ଶ୍ରେଣୀର ପାଠ୍ୟପୁସ୍ତକରେ ସ୍ଥାନ ପାଇବ, ତାହା ସେ ସ୍ପଷ୍ଟ କରିନାହାନ୍ତି।

ପାକିସ୍ତାନର ଲଢ଼ୁଆ ବିମାନ ଏଫ୍‌-୧୬କୁ ଖସାଇଦେଇଥିବା ଅଭିନନ୍ଦନ ଏବେ ଦେଶର ହିରୋ ପାଲଟି ଯାଇଛନ୍ତି। କେବଳ ଅଭିନନ୍ଦନ ନୁହଁନ୍ତି, ପୁଲୱାମା ଆକ୍ରମଣରେ ସହିଦ୍‌ ହୋଇଥିବା ଅନ୍ୟ ବୀର ଯବାନଙ୍କ କାହାଣୀ ମଧ୍ୟ ସିଲାବସ୍‌ରେ ସ୍ଥାନ ପାଇବ। ପୂର୍ବରୁ ଏନେଇ ମନ୍ତ୍ରୀ ସିଲାବସ୍‌ ସମୀକ୍ଷା କମିଟିକୁ ପ୍ରସ୍ତାବ ଦେଇଥିଲେ। ସିଲାବସ୍‌ କମିଟି ଏହାକୁ ଗ୍ରହଣ ମଧ୍ୟ କରିଥିଲେ। ତେବେ ଅଭିନନ୍ଦନଙ୍କ କାହାଣୀ ପାଠ୍ୟ ପୁସ୍ତକରେ ପଢ଼ାଯିବ କି ନାହିଁ, ସେ ନେଇ ସିଲାବସ୍ କମିଟି ନିଷ୍ପତ୍ତି ଗ୍ରହଣ କରିବା ପରେ କାର୍ଯ୍ୟକୁ ଆଗେଇ ନିଆଯିବ।

ନିକଟରେ ରାଜସ୍ଥାନ ଶିକ୍ଷା ବିଭାଗ ୩୧.୫ କୋଟି ଟଙ୍କା ବିନିଯୋଗ କରି ଏକ ଡିଫେନ୍ସ ଏକାଡେମୀର ଉଦ୍‌ଘାଟନ କରିଛି। ଏହି ଏକାଡେମୀର ନାମ ରହିଛି ‘ମହାରାଓ ଶେଖାଜୀ ଶାସ୍ତ୍ରୀ ବାଲ୍ ପ୍ରତିଷ୍ଠାନ’। ଏଠାରେ ଯୁବପିଢ଼ିଙ୍କୁ ଆର୍ମି, ନେଭି ଓ ଏୟାର୍‌ଫୋର୍ସ ସମ୍ପର୍କିତ ଶିକ୍ଷା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

You might also like