ପାଣି ସୁଅରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କଲା ବାୟୁସେନା

ବିଳାସପୁର: କଥାରେ ଅଛି, ରଖେ ହରି ତ ମାରେ କିଏ…ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ବିଲାସପୁର ଜିଲ୍ଲାରେ। ପାଣି ସୁଅରେ ଫସି ରହିଥିବା ଜଣେ ଯୁବକଙ୍କୁ ବାୟୁସେନା ପକ୍ଷରୁ  ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ଖୁଟାଘାଟ ଡ୍ୟାମ୍‌ରେ ଜଣେ ଯୁବକ ଫସି ଯାଇଥିଲେ। ଧୀରେଧୀରେ ପାଣିର ସ୍ରୋତ ପ୍ରଖର ହେବାସହ ଜଳସ୍ତର ବଢୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଶାସନର ସହାୟତା ଲୋଡ଼ିଥିଲେ।

ଯୁବକ ଜଣକ ନିଜକୁ ବଞ୍ଚାଇବା ପାଇଁ ପଥର ଉପରେ ବସି ରହି ଏକ ଗଛକୁ ଧରି ରହିଥିବା ଦେଖିବାକୁ ମିଳିଥିଲା। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନା ପକ୍ଷରୁ ସାରାରାତି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଶେଷରେ ବାୟୁସେନାର ଏକ ହେଲିକପ୍ଟର ଦ୍ୱାରା ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା।

ଯୁବକଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ମାଧ୍ୟମରେ ଏକ ଦଉଡି ତଳକୁ ପଠାଯାଇଥିଲା। କିନ୍ତୁ ପ୍ରବଳ ପବନ ଯୋଗୁ ଯୁବକଙ୍କୁ ତାହା ଧରିବାକୁ ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା। ଦୀର୍ଘ ସମୟ ପରେ ଯୁବକ ଜଣଙ୍କ ଦଉଡିକୁ ଧରି ଉପରକୁ ଉଠିଥିଲେ ଓ ସୁରକ୍ଷିତ ଭାବରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ଅନ୍ୟପକ୍ଷରେ, ବାୟୁସେନା ପକ୍ଷରୁ ଏଭଳି ତ୍ୱରିତ ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଇଛି।