ମୁଁ ହିଁ ମୁଖ୍ୟମନ୍ତ୍ରୀ ହେବି-ଜିଦ୍‌ରେ ଅଟଳ ଫଡନାଭିସ୍‌

ମହାରାଷ୍ଟ୍ରରେ ବିଜେପି-ଶିବସେନା ଛକାପଞ୍ଝା

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ବସିଛି। ଶିବସେନା ୫୦: ୫୦ ଫର୍ମୁଲାକୁ ଢାଲ କରି ବିଜେପିର ସରକାର ଗଠନ ରାସ୍ତାରେ କଣ୍ଟା ହୋଇଥିବାରୁ ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌।

ସେ ଶିବସେନାର ୫୦: ୫୦ ଫର୍ମୁଲାକୁ କୌଣସି ପ୍ରକାରରେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ ଏବଂ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦମ୍ଭୋକ୍ତି କରିଛନ୍ତି।

ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ହେବି ବୋଲି ଭଲ ଭାବେ ଜାଣିଛି। ଏଥିରେ କୌଣସି ସନ୍ଦେହ ନାହିଁ। ସରକାର ବିଜେପି ଗଠନ କରିବ। ଏଥିରେ ପ୍ଲାନ ବି କିମ୍ବା ସି’ର ସ୍ଥାନ ନାହିଁ। ଏଠାରେ କେବଳ ପ୍ଲାନ ଏ ରହିଛି ଏବଂ ଏହା ଆଗକୁ କାମ କରିବ। ଆସନ୍ତାକାଲି ବିଧାୟକ ଦଳ ବସିବ। ଏହି ସମୟରେ ବିଧାୟକ ଦଳ ନେତା ବଛା ହେବେ।”

ଶିବସେନା ମୁଖପତ୍ର ସାମନାରେ ବାରମ୍ବାର ବିଜେପିକୁ ସମାଲୋଚନା କରାଯାଉଥିବାରୁ ଏହା ଉପରେ ମଧ୍ୟ ଫଡନାଭିସ ମତ ଦେଇଛନ୍ତି। ସେ କହିଛନ୍ତି, “ବିଜେପି-ଶିବସେନା ମଧ୍ୟରେ ଆଲୋଚନାକୁ ରୋକିବା ପାଇଁ ସାମନା ଚେଷ୍ଟା କରୁଛି। ଶିବସେନା ୫ ବର୍ଷ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଚାହିଁପାରେ। ହେଲେ ଚାହିଁବା ଓ ଏହାକୁ କାର୍ଯ୍ୟରେ ପରିଣତ କରିବାରେ ଯଥେଷ୍ଟ ପାର୍ଥକ୍ୟ ରହିଛି।

ଆମେ ୫୦: ୫୦ ଫର୍ମୁଲାରେ ମେଣ୍ଟ କରିଥିଲୁ। ଏହି ସମୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ପ୍ରକାରର ବୁଝାମଣା ହୋଇ ନଥିଲା। ଏବେ ସେମାନେ ନିଜର ଦାବି ଜଣାଇଛନ୍ତି। ଆମେ ଏକାଠି ବସିଲେ ଏ ସମ୍ପର୍କରେ ଆଲୋଚନା କରିବୁ। ତଥାପି ମୁଁ ଆପଣ ମାନଙ୍କୁ କହିବାକୁ ଚାହୁଁଛି ଯେ ମୁଁ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବି।”

ବିଜେପି ମହାରାଷ୍ଟ୍ରରେ ୧୦୫ଟି ଆସନ ଜିତିଥିବା ବେଳେ ଶିବସେନା ୫୬ଟି ଆସନ ପାଇଥିଲା। ଏବେ ୫ ଜଣ ସ୍ୱାଧୀନ ଓ ବିଦ୍ରୋହୀ ବିଧାୟକ ଶିବସେନାରେ ମିଶିବାରୁ ଦଳର ଆସନ ସଂଖ୍ୟା ୬୧ ହୋଇଯାଇଛି। ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ନମ୍ବର ହେଉଛି ୧୪୫।

You might also like