ପୁରୁଷ ବନ୍ଧୁଙ୍କ ଦୁଷ୍କର୍ମର କାହାଣୀ କହିଲେ ଫିଲ୍ମ ନିର୍ମାତା
ମୁଁ ୧୩ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିଲି
ଇସଲାମାବାଦ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ପାକିସ୍ତାନର ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଜାମସେଦ ମହମ୍ମଦ ଓରଫ ଜାମି ଟ୍ୱିଟ ଯୋଗେ ତାଙ୍କୁ ଜଣେ ପ୍ରଖ୍ୟାତ ମିଡିଆ ବକ୍ତିତ୍ୱ ୧୩ ବର୍ଷ ତଳେ କେଉଁ ଭଳି ଭାବେ ଦୁଷ୍କର୍ମ କରିଥିଲେ, ସେକଥା କହିଛନ୍ତି।
ପୂର୍ବରୁ ‘ମି ଠୁ’କୁ ସମର୍ଥନ କରି ଆସୁଥିବା ଏହି ନିର୍ଦ୍ଦେଶକ ଜଣଙ୍କ ଏକାଧିକ ଟ୍ୱିଟ ଯୋଗେ ୧୩ ବର୍ଷ ତଳେ ତାଙ୍କ ସହ ଘଟିଥିବା ପାପ କାହାଣୀକୁ ସମଗ୍ର ବିଶ୍ୱକୁ ଜଣାଇଛନ୍ତି।
ସେ କହିଛନ୍ତି, “କାହିଁକି ମୁଁ ‘ମି ଠୁ’କୁ ସମର୍ଥନ କରୁଥିଲି? କାରଣ ମୁଁ ଜାଣିଛି ଏହା କ’ଣ। ମୋ ସାଙ୍ଗରେ ମଧ୍ୟ ଏମିତି ଘଟଣା ଘଟିଛି। ଆମ ମିଡିଆ ୱାର୍ଲ୍ଡର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ମୁଁ ୧୩ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିଲି।
ଉକ୍ତ ଘଟଣାକୁ ୧୩ ବର୍ଷ ବିତିଗଲାଣି। ତଥାପି ମୁଁ ଆଜି ବି ଭାବୁଛି ଯେ କ’ଣ ପାଇଁ ସେଦିନ ଉକ୍ତ ବ୍ୟକ୍ତିଙ୍କ ଆଖିକୁ ମୁଁ ତାଡ଼ି ପାରିଲି ନାହିଁ। ଏବେ ବି ମୁଁ ଉକ୍ତ ବ୍ୟକ୍ତିଙ୍କ ଜଣେ ଭଲ ବନ୍ଧୁ। ତାଙ୍କ ବହି ଓ ମ୍ୟୁଜିୟମ ପାଇଁ ଆଜି ବି ମୁଁ କାର୍ଯ୍ୟକ୍ରମ କରୁଛି।
ବୋଧେ ସେଥିପାଇଁ ମୁଁ ତାଙ୍କର କୌଣସି କ୍ଷତି କରିପାରୁ ନାହିଁ। ଦୁଷ୍କର୍ମ ହେବା ପରେ ମୁଁ ମୋର କିଛି ସାଙ୍ଗମାନଙ୍କୁ ଏକଥା କହିଥିଲି। ହେଲେ ସେମାନେ ମୋତେ ପାଗଳ ବୋଲି କହିଥିଲେ। ଏପରି କି ମୋ ସହ ପାପ କାମ କରିଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ସେମାନଙ୍କୁ କହିଥିଲି। କିନ୍ତୁ ସେମାନେ ମୋ କଥାକୁ ଗୁରୁତ୍ୱର ସହ ନେଇ ନଥିଲେ।
Why im so strongly supporting #metoo ? cuz i know exactly how it happens now, inside a room then outside courts inside courts and how a survivor hides confides cuz i was brutally raped by a very powerful person in our media world. A Giant actually. and yes im taller than him but
— jami (@jamiazaad) October 20, 2019
ଏହି ଘଟଣା ପରେ ମୁଁ ଜଣେ ଥେରାପିଷ୍ଟଙ୍କ ସହ ୬ ମାସ ସମୟ କାଟିଥିଲି। ଏପରି କି ମୋତେ ମେଡିସିନ୍ ମଧ୍ୟ ଖାଇବାକୁ ପଡ଼ିଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ ମୋ ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଆସିଥିଲେ। ଏହି ସମୟରେ ମୁଁ ବାପାଙ୍କ ପାଇଁ କାନ୍ଦିବା ବଦଳରେ ଉକ୍ତ ବ୍ୟକ୍ତିଙ୍କୁ ଦେଖି ଆମ ଘରେ ଲୁଚିବାକୁ ଚେଷ୍ଟା କରିଥିଲି। ମା’ଙ୍କୁ କହିବାକୁ ଚେଷ୍ଟା କରିଥିଲି। ହେଲେ ସେ ତ ବାପାଙ୍କୁ ହରାଇବାର ଲୁହକୁ ଅଟକାଇବାରେ ବ୍ୟସ୍ତ ଥିଲା। ମୋ ସହ ଘଟିଥିବା ଘଟଣା କାହାକୁ ବି ଆଉ ମୁଁ କହି ପାରି ନଥିଲି।
ସେହିଦିନ ଠାରୁ ମୁଁ କେବେ ଉକ୍ତ ବ୍ୟକ୍ତିଙ୍କ ନାଁ ବାହାରେ ପ୍ରଘଟ କରିବାକୁ ସାହାସ କରିପାରିନାହିଁ। ମୁଁ ଜାଣିଛି ଏକଥା ଶୁଣି ସମସ୍ତେ ହସିବେ। ତଥାପି ମୁଁ ଆଜି ମି ଟୁ ସମର୍ଥନରେ ଟ୍ୱିଟ୍ ଯୋଗେ ସମସ୍ତଙ୍କୁ ଏକଥା ଜଣାଉଛି।
ପୂର୍ବରୁ କିଛି ଗଣମାଧ୍ୟମ ମୋ ଖବର ଛାପି ଥିଲେ। ହେଲେ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ପ୍ରଭାବରେ ସମସ୍ତେ ଚୁପ ବସି ଯାଇଛନ୍ତି।”