ପତ୍ନୀ ଦେଲେ ଧୋକା, ୧୮ ମହିଳାଙ୍କୁ ହତ୍ୟା କଲେ ସ୍ୱାମୀ

ହାଇଦ୍ରାବାଦ: ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଗଲେ ପତ୍ନୀ। ଆଉ ପତ୍ନୀ ଛାଡ଼ି ଚାଲିଯିବା ଦୁଃଖରେ ହତ୍ୟାକାରୀ ସାଜିଲେ ସ୍ୱାମୀ। ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଏପରି ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶେଷରେ ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ୍‌ ଗିରଫ କରିଛି। ସେ ପଥର କାଟନ୍ତି ବୋଲି ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁସାରେ, ୨୧ ବର୍ଷ ବୟସରେ ଉକ୍ତ ବ୍ୟକ୍ତି ଜଣକ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ତାଙ୍କ ପତ୍ନୀ ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ। ସେବେଠାରୁ ସେ ମହିଳାଙ୍କୁ ଘୃଣା କରିବା ଆରମ୍ଭ କରି ଦେଇଥିଲେ।

୨୦୦୩ରେ ସେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରି ଦେଇଥିଲେ। ସେ ଜଣେ ଜଣେ ମହିଳାଙ୍କୁ ଟାର୍ଗେଟ୍‌ କରି ଓ ତାଙ୍କୁ ଟଙ୍କା ଅଫର୍‌ ଦେଇ ଯୌନ ସମ୍ପର୍କ ସ୍ଥାପନ କରିବା ପାଇଁ କହିଥାନ୍ତି। ପୀଡ଼ିତାଙ୍କୁ ମଦ ଦେଇ ଅଚେତ୍‌ ହେବାପରେ ତାଙ୍କର ହତ୍ୟା କରିଥାନ୍ତି। ଏହାପରେ ତାଙ୍କ ନିକଟରୁ ମୂଲ୍ୟବାନ ଜିନିଷ ସବୁ ଚୋରି କରି ନେଇ ଯାଆନ୍ତି। ଏପରି ଭାବରେ ସେ ମହିଳାଙ୍କ ହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସିଛି।

ମଙ୍ଗଳବାର ଦିନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଟି ପୋଲିସ୍‌ ଟାସ୍କ ଫୋର୍ସ ଅଧିକାରୀ ଓ ରଚାକୋଣ୍ଡା କମିଶନରେଟ ପୋଲିସ୍‌ ଧରିଛି। ତାଙ୍କୁ ଗିରଫ କରାଯିବା ପରେ, ଆଉ୨ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ସମ୍ନାକୁ ଆସିଛି।

ପୂର୍ବରୁ, ସେ ୨୧ଟି ମାମଲାରେ ଗିରଫ ହୋଇଥିଲେ। ସେଥିମଧ୍ୟରୁ ୧୬ଟି ହତ୍ୟା, ୪ଟି ସମ୍ପତ୍ତି ହଡ଼ପ ଓ ପୋଲିସ୍‌ ହେପାଜତରୁ ଖସି ପଳାଇବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। ପୂର୍ବରୁ ୧୬ ଓ ଗିରଫ ପରେ ୨ ମହିଳାଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସମୁଦାୟ ୧୮ଜଣ ମହିଳାଙ୍କ ସେ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ତାଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

You might also like