ଲାଞ୍ଚ ନେଇ ଧରାପଡ଼ିଲେ ଏଇ କୋଟିପତି ପୋଲିସ ଇନ୍ସପେକ୍ଟର

ହାଇଦ୍ରାବାଦ:  ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଜଣେ ପୋଲିସ ଅଫିସର ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି।  ତାଙ୍କୁ ଗିରଫ  କରାଯାଇଛି। ହେଲେ ଘଟଣାର ଖୋଳତାଡ ପରେ ଯାହା ଜଣାପଡ଼ିଛି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଲାଞ୍ଚ ନେଇ ଧରା ପଡ଼ିଥିବା ଏହି  ଇନ୍ସପେକ୍ଟର ଜଣକ ଜଣେ ପେଷାଦାର ଲାଞ୍ଚୁଆ। ଯାଞ୍ଚବେଳେ ତାଙ୍କର ସମ୍ପତ୍ତି ବିଷୟରେ ଯେତେବେଳେ ଜଣାପଡ଼ିଲା, ତଦନ୍ତକାରୀ ଅଫିସର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଯାଞ୍ଚରୁ ଜଣାପଡ଼ିଥିଲା ସେ ଜଣେ କୋଟିପତି ବୋଲି।  ଦୁର୍ନୀତି ନିବାରଣ ଶାଖା  ଇନ୍ସପେକ୍ଟରଙ୍କ ଘରୁ ୪.୫୮ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ଅଭିଯୁକ୍ତ ପୋଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ସୂଚନାନୁସାରେ,  ଭି ବିଜୟ ମୋହନ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ ଯେ,  ସାଇବରାବାଦ କମିଶନରେଟ  ଅଞ୍ଚଳରେ ଥିବା ସାବାଦ୍‌ ପୋଲିସ ଷ୍ଟେସନର ଇନ୍ସପେକ୍ଟର ବି ଶଙ୍କରା ଲାଞ୍ଚ ମାଗୁଛନ୍ତି। ଅଭିଯୋଗ ପାଇବା ପରେ ଦୁର୍ନୀତି ନିବାରଣ ଅଧିକାରୀ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ତାଙ୍କର ଜାଲ ବିଛାଇ ଥିଲେ।  ଦିନେ ସେ ୧.୨୦ ଲକ୍ଷ ଲାଞ୍ଚ ନେଉଥିବାବେଳେ ରେଡ୍‌ ହ୍ୟାଣ୍ଡରେ ଧରିଥିଲେ। ଏହି ମାମଲାରେ ଇନ୍ସପେକ୍ଟର ବି ଶଙ୍କରା ଏବଂ ତାଙ୍କର ଜଣେ ସହକର୍ମୀଙ୍କୁ ଗିରଫ କରାଯାଇଥିଲା।  ମାମଲାର ଯାଞ୍ଚ ପାଇଁ ଯେତେବେଳେ ଏସିବି ଟିମ୍ ଏହି ଲଞ୍ଚୁଆ ଇନ୍ସପେକ୍ଟରଙ୍କ ଘରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ, ତାଙ୍କର ସମ୍ପତ୍ତି ଦେଖି ହୋଶ ଉଡ଼ିଗଲା। କାରଣ  ଅଭିଯୁକ୍ତ ଇନ୍ସପେକ୍ଟର ୪.୫୮ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଥିଲେ।

ଅଭିଯୁକ୍ତ ଇନ୍ସପେକ୍ଟର ବି ଶଙ୍କରାଙ୍କର ଦୁଇଟି ଘର ଅଛି ଯାହାର ମୂଲ୍ୟ ୧.୦୫ କୋଟି। ଏହା ସହିତ ତାଙ୍କର ୧୧ଟି ଆବାସିକ ପ୍ଲଟ୍ ଅଛି, ଯାହାର ମୂଲ୍ୟ ୨.୨୮ କୋଟି ଟଙ୍କା | କେବଳ ଏତିକି ନୁହେଁ, ଅଭିଯୁକ୍ତ ଇନ୍ସପେକ୍ଟରଙ୍କ ନିଜାମାବାଦ ଜିଲ୍ଲାରେ  ୪୧.୩ ଏକର କୃଷି ଜମି ରହିଛି। ଏହାବ୍ୟତୀତ ଘରେ ମିଳିଥିବା ସୁନା ଅଳଙ୍କାରର ମୂଲ୍ୟ ୨୧.୧୪ ଲକ୍ଷ ଟଙ୍କା ହୋଇଥିବାବେଳେ ଘରୁ ୧୭.୮୮ ଲକ୍ଷ ଟଙ୍କା ଜବତ କରାଯାଇଛି।

ଜଣେ ଏସିବି ଅଧିକାରୀ କହିଛନ୍ତି ଯେ ଆମେ ଅଭିଯୁକ୍ତଙ୍କ ଅଧିକ ସମ୍ପତ୍ତି ଆକଳନ କରୁଛୁ। ଆମେ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ଉଦ୍ଧାର କରିଛୁ, ଯାହାର ଅନୁସନ୍ଧାନ କରାଯାଉଛି।

 

 

 

You might also like