ବାପା ନା ରାକ୍ଷସ, ପାଠ ପଢ଼ାରେ ମନଦେଲାନି ବୋଲି ପୁଅ ଦେହରେ ନିଆଁ ଲଗାଇଦେଲା . .

ହାଇଦ୍ରାବାଦ : ପୁଅକୁ ଦେହରେ ନିଆଁ ଲଗାଇ ଦେଲା ରାକ୍ଷସ ବାପା ।  ପାଠ ପଢ଼ିଲାନି ବୋଲି ୧୦ ବର୍ଷର ପୁଅ ଦେହରେ ନିଜ ବାପା ନିଆଁ ଲଗାଇ ଦେଇଛି । ଫଳରେ କୁନି ପୁଅର ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ହାଇଦ୍ରାବାଦର କୁକାଟପଲ୍ଲୀ ହାଉସିଂ ବୋର୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି ।

ହାଇଦ୍ରାବାଦର କୁକାଟପଲ୍ଲୀ ଅଞ୍ଚଳରେ ଆର୍. ବାଲୁ ନିଜ ପତ୍ନୀ ଏବଂ ନିଜ ପିଲାମାନଙ୍କ ସହ ରହୁଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ସେ ଚୌକିଦାର ଭାବେ କାମ କରୁଥିଲେ । ଘଟଣା ଦିନ ଦୁଇ ଝିଅ  ଓ ସବୁଠାରୁ ସାନ ପୁଅ ଚରଣ ରାତି ପ୍ରାୟ ୯ଟାର ଖେଳ ଖେଳି ଘରକୁ ଫେରିଥିଲେ । ପାଠପଢ଼ାରେ ବିଲକୁଲ ମନ ନଥିବାରୁ ତା’ ଉପରେ ସବୁବେଳେ ଚିଡ଼ୁଥିଲେ ଆର୍. ବାଲୁ । ତେବେ ଘରକୁ ଫେରିବା ପରେ ଚରଣ ଟିଭି ଦେଖୁଥିବା ଦେଖି ସେ ହଠାତ ରାଗି  ପ୍ରବଳ ମାଡ଼ ମାରିଥିଲେ । ତେବେ ଏଥିରେ ସ୍ତ୍ରୀ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ  ଦୂରକୁ ଠେଲି ଦେଇ ପିଲାଟିକୁ ପୁଣି ପିଟିବା ଆରମ୍ଭ କରିଥିଲା ନୃଶଂସ ବାପା । ଆଉ ତା’ପରେ ଟର୍ପେଣ୍ଟାଇନ୍ ତେଲ ଛିଞ୍ଚି ପିଲା ଉପରେ ମ୍ୟାଚିସ୍ ଲଗାଇ ଦେଇଥିଲା । ଅସହ୍ୟ ଯନ୍ତ୍ରଣାରେ ଯନ୍ତ୍ରଣା ହେତୁ ଘର ବାହାରକୁ ଦୌଡ଼ିଥିଲା ୧୦ ବର୍ଷର ପୁଅ ।

ପାଟି ଶୁଣୀ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ଏ‍ବଂ ନିଆଁ ଲିଭାଇ ଚରଣକୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ତା’ର ଶରୀରର  ୬୦ ଭାଗ ପୋଡ଼ିସାରିଥିଲା । ଗୁରୁତର ଅବସ୍ଥାରେ ଏବେ ଚରଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସଂପର୍କରେ ପୋଲିସକୁ ପଡୋଶୀ ଲୋକ ଖବର ଦେଇଥିଲେ । ଏହି ନୃଶଂସ କାଣ୍ଡ ଘଟାଇବା ବେଳେ ଅଭିଯୁକ୍ତ ବାପା  ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ ସନ୍ଦେହ କରୁଛି । ଅଭିଯୋଗ ପରେ ବାଲୁ ବିରୋଧର ହତ୍ୟା ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତକୁ  ପଚରାଉଚରା କରୁଛି । 

You might also like