ଛାତ୍ରୀଙ୍କ ୟୁନିଫର୍ମର ଲମ୍ବ ମାପିଲେ, ତା ପରେ ଭିତରକୁ ଛାଡ଼ିଲେ

ହାଇଦ୍ରାବାଦ୍‌: ସାଧାରଣତଃ ସ୍କୁଲ, କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟ। ୟୁନିଫର୍ମ ନ ପିନ୍ଧିଲେ, ସ୍କୁଲ ଭିତରକୁ ଯିବା ଲାଗି ସେମାନଙ୍କୁ ଅନେକ ସମୟରେ ଅନୁମତି ମିଳି ନ ଥାଏ। ହେଲେ କଲେଜ ଭିତରକୁ ଯିବା ପାଇଁ ନିର୍ଦ୍ଦିଷ୍ଟ ମାପର ୟୁନିଫର୍ମ ପିନ୍ଧିବା ବାଧ୍ୟ ଏକଥା ଜାଣିଥିଲେ କି ? ହାଇଦ୍ରାବଦ୍‌ରେ ଏପରି ଘଟଣା ଘଟିଛି ଏକ ନାମୀଦାମି ମହିଳା କଲେଜରେ।

ସେଣ୍ଟ ଫ୍ରାନ୍‌ସିସ୍‌ ଗର୍ଲସ କଲେଜରେ  (St. Francis Girls College) ଡ୍ରେସ୍‌ କୋର୍ଡକୁ ନେଇ ଏବେ ବିବାଦ ଦେଖା ଦେଇଛି। କଲେଜରେ ଗତ କିଛି ଦିନ ତଳେ ଘୋଷଣା  କରାଯାଇଛି ଯେ, ଛାତ୍ରୀମାନେ ପିନ୍ଧୁଥିବା ପୋଷାକର ଲମ୍ବା ଆଣ୍ଠୁଠାରୁ ତଳକୁ ରହିବା ଉଚିତ୍‌। ନଚେତ୍‌ ସାଲୱାର କମିଜ୍‌ ପିନ୍ଧି ଆସିଲେ ହିଁ କଲେଜ ଭିତରକୁ ଯିବାଲାଗି ଅନୁମତି ମିଳିବ।

ସେତିକି ନୁହେଁ, ଛାତ୍ରୀମାନେ ନିୟମ ଠିକ୍‌ରେ ମାନୁଛନ୍ତି କି ନାହିଁ ତାହାର ତଦାରଖ କରିବା ପାଇଁ ଜଣେ ମହିଳା ସକ୍ୟୁରିଟିକୁ  ମଧ୍ୟ ନିଯୁକ୍ତି ଦିଆଯାଇଛି। ଉକ୍ତ ମହିଳା ସକ୍ୟୁରିଟି ଜଣକ ଛାତ୍ରୀମାନଙ୍କର  ଆଇ କାର୍ଡ ଯାଞ୍ଚ କରିବା ସହ ଡ୍ରେସ୍‌ ଲମ୍ବା ଠିକ୍‌ ଅଛି କି ନାହିଁ ଟେପ୍‌ ସାହାଯ୍ୟରେ ମାପୁଛନ୍ତି।

ସେଣ୍ଟ ଫ୍ରାନ୍‌ସିସ୍‌ ଗର୍ଲସ କଲେଜ ପ୍ରଶାସନ ଏହି ନୂଆ ନିୟମ ଅଗଷ୍ଟ ୧ରୁ ଲାଗୁ କରିଛନ୍ତି। ଯେଉଁ ଛାତ୍ରୀ ଏହି ନିୟମ ପାଳନ କରୁ ନାହାନ୍ତି ସେମାନଙ୍କୁ କଲେଜକୁ ଆସିବା ପାଇଁ ଅନୁମତି ଦିଆଯାଉ ନାହିଁ। ଅବଶ୍ୟ କଲେଜର ଏପରି ନିୟମକୁ ଛାତ୍ରୀମାନେ ଘୋର ବିରୋଧ କରିଛନ୍ତି।  ଏପରିକି ସୋଶାଲ ମିଡିଆରେ ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଜଣେ ମହିଳା ସକ୍ୟୁରିଟି ଗାର୍ଡ ଛାତ୍ରୀଙ୍କ ସ୍କର୍ଟ ମାପୁଥିବା ଦେଖିବାକୁ ମିଳୁଛି।

ଉକ୍ତ କଲେଜର ଜଣେ ପୂର୍ବତନ ଛାତ୍ରୀ  ଅଭିଯୋଗ କରିଛନ୍ତି ଯେ, ମିଡ୍‌ ସେସନ୍‌ରେ କଲେଜ କର୍ତ୍ତୃପକ୍ଷ ଏପରି ଡ୍ରେସ୍‌ କୋଡ ପ୍ରଚଳନ କରି ଛାତ୍ରୀମାନଙ୍କୁ ବିଶେଷ କରି ଗରିବ ଛାତ୍ରୀମାନଙ୍କୁ ଅସୁବିଧାରେ ପକାଇଛନ୍ତି।

ତେବେ ଏ ସଂକ୍ରାନ୍ତରେ କଲେଜର ଜଣେ ଅଧ୍ୟାପିକା ଦେଇଥିବା ମନ୍ତବ୍ୟ ବେଶ ରୋଚକ। ସେ କଲେଜ ନିଷ୍ପତିକୁ ସମର୍ଥନ କରିବା ସହ ଏହି ନିୟମ ମାନିବା ଦ୍ୱାରା ଭବିଷ୍ୟତରେ ବାହାଘର ପାଇଁ ଭଲ ପ୍ରସ୍ତାବ ଆସିବ ବୋଲି ସେ କହିଛନ୍ତି।

You might also like