ମିଳିଲାନି ଆମ୍ବୁଲାନ୍ସ, ଠେଲା ଗାଡ଼ିରେ ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଅସୁସ୍ଥ ପତ୍ନୀଙ୍କୁ ହସ୍ପିଟାଲ୍‌ ନେଲେ

ଉଜ୍ଜୈନ: ଠେଲା ଗାଡ଼ିରେ ଶୋଇଛନ୍ତି ଅସୁସ୍ଥ ମହିଳା ଓ ପାଖରେ ରଖାଯାଇଛି ଅକ୍ସିଜେନ୍‌ ସିଲିଣ୍ଡର। ଜଣେ ବ୍ୟକ୍ତି ଠେଲା ଗାଡ଼ି ଠେଲି ଠେଲି ନେଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଅକ୍ସିଜେନ୍‌ ସିଲିଣ୍ଡର ଧରିଛନ୍ତି। ଦେଶରେ କରୋନା ସଂକ୍ରମଣ ବେକାବୁ ଥିବାବେଳେ ଏଭଳି ଦୃଶ୍ୟ ବର୍ଣ୍ଣନା କରୁଛି ବର୍ତ୍ତମାନର ସ୍ଥିତି ସମ୍ପର୍କରେ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦିନକୁ ଦିନ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବା ବେଳେ ହସ୍ପିଟାଲ୍‌ ଗୁଡ଼ିକରେ ଅକ୍ସିଜେନ୍ ଓ ବେଡ୍‌ର ଅଭାବ ଘଟଣା କାହାକୁ ଅଛପା ନାହିଁ। କେଉଁଠି ଅକ୍ସିଜେନ୍‌ ଅଭାବରୁ ତ ଆଉ କେଉଁଠି ବେଡ୍‌ ନପାଇ ଚିକିତ୍ସା ଅଭାବରୁ ଲୋକଙ୍କ ଜୀବନ ଚାଲି ଯାଉଛି।

ମଧ୍ୟପ୍ରଦେଶ ଉଜ୍ଜୈନ ସହରର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ଏହାପରେ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଯାଇଥିଲା। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗୁଡ଼ି ଥିବାରୁ ଓ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ପରିବାର ଲୋକ କିଛି ଉପାୟ ନପାଇ ଠେଲା ଗାଡ଼ିକୁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରିଥିଲେ। ଠେଲା ଗାଡ଼ିରେ ଅସୁସ୍ଥ ପତ୍ନୀଙ୍କୁ ଶୁଆଇ ଠେଲା ଗାଡ଼ିକୁ ଠେଲି ଠେଲି ହସ୍ପିଟାଲ୍‌ ପର୍ଯ୍ୟନ୍ତ ନେଇଥିଲେ ସ୍ୱାମୀ। ଠେଲା ଗାଡ଼ିରେ ମହିଳା ‌ଜଣକ ଶୋଇଥିବା ବେଳେ ଅକ୍ସିଜେନ୍‌ ସିଲିଣ୍ଡର ତାଙ୍କ ପାଖରେ ରଖା ଯାଇଥିଲା। ମହିଳାଙ୍କ ସ୍ୱାମୀ ଠେଲା ଗାଡ଼ି ଠେଲି ଠେଲି ନେଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଅକ୍ସିଜେନ୍‌ ସିଲିଣ୍ଡର ଧରି ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ରାସ୍ତାରେ ଯେକେହିବି ଏହି ଦୃଶ୍ୟ ଦେଖୁଥିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯାଉଥିଲେ। ଦେଶରେ କରୋନା ଯେଉଁଭଳି ଭାବରେ ହେଲ୍‌ଥ୍‌ ସିଷ୍ଟମ୍‌ ଉପରେ ପ୍ରଭାବ ପକାଇଛି, ଏଭଳି ସ୍ଥିତିରେ ଏସବୁ ଦୃଶ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ଘଟଣାକୁ ନେଇ ମହିଳାଙ୍କ ସ୍ୱାମୀ ଇବ୍ରାହିମ କହିଛନ୍ତି, ‘ମୋ ପତ୍ନୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ତାଙ୍କୁ ବାଇକ୍‌ରେ ଉଜ୍ଜୈନ ଆଣିଥିଲୁ। ସେଠାରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ହଠାତ୍ ଏହା ଦେଖି ଆମ ମୁଣ୍ଡ କିଛି କାମ କଲା ନାହିଁ। ଆମେ ସମସ୍ତେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲୁ ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। କିଛି ଉପାୟ ନପାଇ ପାଖରେ ଥିବା ଏକ ଠେଲା ଗାଡ଼ିକୁ ୫୦ ଟଙ୍କା ଦେଇ ଭଡ଼ାରେ ଆଣି ଠେଲା ଗାଡ଼ିରେ ଅକ୍ସିଜେନ୍‌ ସିଲିଣ୍ଡର ରଖି ଆମ୍ବୁଲାନ୍ସ ଭାବେ ଏହାକୁ ବ୍ୟବହାର କରିଥିଲୁ। ଏହାପରେ ଗାଡ଼ିକୁ ଠେଲି ଠେଲି ହସ୍ପିଟାଲ୍‌ ପର୍ଯ୍ୟନ୍ତ ନେଇଥିଲୁ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା ଓ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।’

ଇବ୍ରାହିମଙ୍କ କହିବା ଅନୁଯାୟୀ, ଯଦି କିଛି ସମୟ ବିଳମ୍ବ ହୋଇ ଯାଇଥାନ୍ତା, ତା’ହେଲେ ମୋ ପତ୍ନୀଙ୍କର କିଛି ବି ହୋଇଯାଇଥାନ୍ତା ଓ ତାଙ୍କୁ ବଞ୍ଚେଇବା ମୁସ୍କିଲ୍‌ ହୋଇପଡ଼ିଥାନ୍ତା।

ଦେଶରେ ବେକାବୁ ମହାମାରୀ କରୋନା। ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଦିନକରେ ୨,୨୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

You might also like