ବେଡ୍‌ ତଳେ ସଢ଼ୁଥିଲା ସ୍ତ୍ରୀର ମୃତଦେହ, ହତ୍ୟା କରି ସ୍ୱାମୀ ଯାଉଥିଲା ଅଫିସ…

ନୂଆଦିଲ୍ଲୀ: ବିବାହ ସମୟରେ ଉଭୟ ପତି, ପତ୍ନୀ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଶପଥ ନେଇଥାନ୍ତି। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରିପାରିଲେନି ସ୍ୱାମୀ। ସ୍ତ୍ରୀକୁ ହତ୍ୟା କରିଲା।  ଅବଶ୍ୟ ପଶ୍ଚାତାପରେ ହେଉ କିମ୍ବା ବିରହ ଦୁଃଖରେ ପତି ମଧ୍ୟ ଆତ୍ମହତ୍ୟା କରିଛନ୍ତି।  କିନ୍ତୁ  ସବୁଠୁ ଆଶ୍ଚର୍ଯ୍ୟର କଥା, ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ସ୍ୱାଭାବିକ ଭାବେ ଅଫିସ ଯାଇଥିଲେ। ଉତ୍ତରାଖଣ୍ଡର ଉଧମସିଂହ ନଗର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

ପୂରା ଘଟଣାଟା ଏମିତି…

ଗତ ୬ ମାସ  ତଳେ ଉଧମସିଂହ ନଗର ଜିଲ୍ଲାର ରୁଦ୍ରପୁର ସ୍ଥିତ ରାମ୍‌ପୁରା ଆଉଟ୍‌ପୋଷ୍ଟ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ ଦମ୍ପତି।  ୬ ବର୍ଷ ପୂର୍ବେ ଏମାନଙ୍କର ବିବାହ ହୋଇଥିଲା।  ସ୍ୱାମୀ ଏକ କମ୍ପାନୀରେ କାମ କରୁଥିଲେ।

କୌଣସି କଥାକୁ ନେଇ କିଛିଦିନ ତଳେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ପତ୍ନୀଙ୍କର ତଣ୍ଟି ଚିପି ଦେଇଥିଲେ। ଫଳରେ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା।

ଯେତେବେଳେ ୨ ଦିନ ଧରି ସ୍ୱାମୀ-ସ୍ତ୍ରୀ କେହି ଘରୁ ବାହାରିଲେ ନାହିଁ, ସେତେବେଳେ  ଘର ମାଲିକଙ୍କର ସନ୍ଦେହ ହୋଇଥିଲା। ସେ ପୋଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଘରର କବାଟ ଭାଙ୍ଗିବା ପରେ ଉଭୟଙ୍କ ମୃତଦେହ  ଦେଖିବାକୁ ପାଇଥିଲା।

ସ୍ତ୍ରୀର ମୃତଦେହ ଖଟ ତଳେ ପଡ଼ି ଥିବାବେଳେ ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍ ଦେଖିବାକୁ ପାଇଥିଲା। ଘଟଣାସ୍ଥଳରୁ ପୁଲିସ୍ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଏଥିରେ ସ୍ତ୍ରୀକୁ ହତ୍ୟା କରିଥିବା କଥା ସ୍ୱାମୀ ସ୍ୱୀକାର କରିଛି।

ତେବେ ପ୍ରାଥମିକ ତଦନ୍ତ ପରେ ପୋଲିସ ଅନୁମାନ କରିଛି, ପତ୍ନୀଙ୍କର ମୃତ୍ୟୁ ୩ ଦିନ ତଳୁ ହୋଇଛି। ପରେ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏକଥା ମଧ୍ୟ କହିଛି ଯେ, ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଅଫିସ ଯାଇଥିଲେ, ପରେ ଆସି ଏପରି ଚରମ ପ଼ଦକ୍ଷେପ ନେଇଛନ୍ତି।

ପୁଲିସ୍‌ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ କରୁଛି।

You might also like